ଗୋଟିଏ ପଦବୀ ପାଇଁ ଲଢ଼ିବେ ସ୍ବାମୀ,ସ୍ତ୍ରୀ

ନୂଆଗାଁ,୨୩।୧(ଡି.ଏନ.ଏ.): ରାଜନୀତିରେ ନାହିଁ ପାରିବାରିକ ସମ୍ପର୍କ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକ୍‌ ପାରାଢିପି ପଞ୍ଚାୟତରେ ଏକ ଦମ୍ପତି ଗୋଟିଏ ପଦବୀ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।
ନୂଆଗାଁ ବ୍ଲକର ୨୨ ପଞ୍ଚାୟତ ମଧ୍ୟରୁ ସର୍ବାଧିକ ୭ ଜଣ ପ୍ରାର୍ଥୀ ସମିତି ସଭ୍ୟ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨ ପ୍ରାର୍ଥୀ ହେଉଛନ୍ତି ସ୍ତ୍ରୀ ଆଉ ସ୍ବାମୀ । ଜଣେ ନାରୀନେତ୍ରୀ ଆଉ ଜଣେ ସାମାଜିକ କର୍ମୀ । ସେମାନେ ହେଲେ ପାରାଢିପି ପଞ୍ଚାୟତ ଥୁଆବାରୀ ଗ୍ରାମର ଭିକାରୀ ଚରଣ ସାହୁ ଆଉ ତାଙ୍କ ସ୍ତ୍ରୀ ସୁଷମା ସାହୁ । ଏ ସଂକ୍ରାନ୍ତରେ ଭିକାରୀ କୁହନ୍ତି, ଆମ ଭିତରେ କୌଣସି ଅସୁବିଧା ନାହିଁ । ନୟାଗଡ଼ କଲେଜର ଛାତ୍ର ଜୀବନରୁ ନେତୃତ୍ୱ ନେଇ ଆସିଛି । ବର୍ତ୍ତମାନ ଗୋଟିଏ କମ୍ପାନୀରେ କାମ କରିବା ସହ ଆଉ ଗୋଟିଏ ବେସାମରିକ ପ୍ରତିରକ୍ଷା ସଙ୍ଗଠନରେ କାମ କରି ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଛି । ତେଣୁ ସମାଜସେବା କରିବା ପାଇଁ ଆଗେଇ ଆସିଛି । ମୋ ସ୍ତ୍ରୀ ଜଣେ ନାରୀ ନେତ୍ରୀ ହିସାବରେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ବିଧାୟକଙ୍କ ନିର୍ଦ୍ଦେଶରେ ନିର୍ବାଚନକୁ ଓହ୍ଲାଇଛନ୍ତି । ମୁଁ ମଧ୍ୟ ଜଣେ ସାମାଜିକ କର୍ମୀ ଭାବେ ନିଜକୁ ଗର୍ବିତ ଅନୁଭବ କରୁଛି । ଆମ ଭିତରେ ଉତ୍ତମ ବୁଝାମଣା ରହିଛି ବୋଲି ସେ କହିଛନ୍ତି ।