ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ବ୍ରଜରାଜନଗର,୨୫ା୭(ଡି.ଏନ.ଏ.): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ମଣ୍ଡଳିଆ ଛକରେ ଯୌତୁକ ଲାଗି ସ୍ତ୍ରୀଙ୍କୁ କିରୋସିନ ଢାଳି ପୋଡି ମାରିବା ଅଭିଯୋଗରେ ପୋଲିସ ସୋମବାର ସ୍ବାମୀ ଆକତାବ ଆଲମ (୩୫)ଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ମଣ୍ଡଳିଆ ଅଞ୍ଚଳରେ ରହୁଥିବା ଆକତାବଙ୍କ ସ୍ତ୍ରୀ ସାଇନା ବାନୁଙ୍କ ଗତ ମାର୍ଚ୍ଚ ମାସରେ ମୃତ୍ୟୁ ଘଟିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ହେଲେ ସାଇନାଙ୍କ ବାପା ହଜାମତ ଅଲ୍ଲୀ କୁରେଶୀ ତାଙ୍କ ଝିଅକୁ ଯୌତୁକ ପାଇଁ ନିର୍ଯାତନା ଦେବା ସହ କିରୋସିନ ଢାଳି ପୋଡି ମାରି ଦେଇଥିବା ନେଇ ଗତ ମେ ୧୫ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଆଇପିସି ଧାରା ୩୦୨, ୪୯୮ (ଏ), ୩୦୪ (ବି), ୩୧୨, ୩୪ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାବେଳେ ଆକତାବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ କଲ୍ୟାଣୀ ବେହେରା ସୂଚନା ଦେଇଛନ୍ତି।