ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ କାଳିଞ୍ଜୀ ସାହିରେ ବୁଧବାର ଅପରାହ୍ନରେ ଡିନାମାଇଟ ଦ୍ଵାରା ଘର ବିସ୍ଫୋରଣ ଘଟଣାରେ ଅଭିଯୁକ୍ତଙ୍କୁ ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗିର ଜିଲା ଲୋହିସିଂହା ଥାନା ଗୌଡ଼ପଲ୍ଲୀ ଡୁଡୁକା ଗ୍ରାମର ସୁରେନ୍ଦ୍ର ଦୋରା।
ଜାମିନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ସ୍ତ୍ରୀ ବି. ଗୀତାଞ୍ଜଳିଙ୍କ ସହ ମନୋମାଳିନ୍ୟକୁ କେନ୍ଦ୍ର କରି ସୁରେନ୍ଦ୍ର ଗତ ବୁଧବାର ଅପରାହ୍ନ ପ୍ରାୟ ୨ ଟାରେ ଏହି ବିସ୍ଫୋରଣ ଘଟାଇଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ଏହି ବିସ୍ଫୋରଣରେ ୩ ଘରର ଛାତ ଉଡ଼ି ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲା। ଗାଁରେ ଚାଲିଥିବା ମା’ ଦଣ୍ଡକାଳୀଙ୍କ ନାଚ ଦେଖିବାକୁ ଯାଇଥିବା ୩ ପରିବାର ଲୋକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ।
ଗ୍ରାମର ଗୌଡ଼ ସାହି ବାସିନ୍ଦା ବି. ଲାଛୁ ଦୋରାଙ୍କ ଝିଅ ଗୀତାଞ୍ଜଳିଙ୍କୁ ସୁରେନ୍ଦ୍ର ବିବାହ କରିଥିଲେ। ସୁରେନ୍ଦ୍ର ଭୁବନେଶ୍ଵରରେ ଦିନ ମଜୁରିଆ କାମ କରୁଥିବା ବେଳେ ପ୍ରାୟ ୬ ମାସ ପୂର୍ବେ ଶ୍ଵଶୁର ଘର କୁଶପଡ଼ା ଗ୍ରାମକୁ ଆସି ଅନୀଲ ସାହୁଙ୍କ ଘରେ ଭଡ଼ା ରହୁଥିଲେ। ମଙ୍ଗଳବାର ରାତିରେ କୈାଣସି କାରଣରୁ ସ୍ତ୍ରୀ’ଙ୍କ ସହ ପ୍ରବଳ ଯୁକ୍ତିତର୍କ ପରେ ଝଗଡା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ଉକ୍ତ ଭଡ଼ା ଘରେ ସୁରେନ୍ଦ୍ର ଡିନାମାଇଟ ଖଞ୍ଜି ବିସ୍ଫୋରଣ ଘଟାଇଥିଲେ। ବିସ୍ଫୋରଣରେ ଗ୍ରାମର ଅନୀଲ ସାହୁ, ବାବୁ ସାହୁ ଏବଂ ଦଣ୍ଡପାଣି ସାହୁଙ୍କ ଘର ଛାତ,କାନ୍ଥ ଭାଙ୍ଗି ଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।
ବାବୁ ସାହୁଙ୍କ ଘରେ ଭଡ଼ାରେ ରହୁଥିବା ଶୁଭଶ୍ରୀ ବିଷୋୟୀ ଏବଂ ଅନିଲ, ଦଣ୍ଡପାଣି ୨ ପରିବାରଙ୍କ ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବ ପତ୍ର ଧ୍ବଂସ ହୋଇଯାଇଥିଲା। ସୁରେନ୍ଦ୍ର ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ତାଙ୍କୁ ଅଟକ ରଖି ଦିଗପହଣ୍ଡି ଥାନାକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଟିମ୍ ଗ୍ରାମରେ ପହଞ୍ଚି ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ଥାନାକୁ ଉଠାଇନେଇଥିଲେ। ଘର ମାଲିକ ଅନୀଲ ସାହୁଙ୍କ ଏତଲା କ୍ରମେ ମାମଲା ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ କରିବା ସହ ବିସ୍ଫୋରଣରେ ଜଳି ଯାଇଥିବା ଏକ ସାଇକେଲ ଏବଂ ବିଭିନ୍ନ ଆସବାବ ପତ୍ର ଜବତ କରି ତଦନ୍ତ ଚଳାଇଥିଲେ।