ସ୍ବାମୀ, ଦିଅର ଦେଉଥିଲେ ଶାରୀରିକ ନିର୍ଯାତନା: ମହିଳା ନେଲେ ଏମିତି ପଦକ୍ଷେପ

ବେଙ୍ଗାଲୁରୁ,୨୬ା୯: ବେଙ୍ଗାଲୁରୁର ବୋମାନାହାଲ୍ଲିରୁ ତିନି ସପ୍ତାହ ତଳେ ରହସ୍ୟଜନକ ଭାବେ ଜଣେ ମହିଳା ନିଖୋଜ ହୋଇଯାଇଥିଲେ। ହଠାତ୍‌ ପୋଲିସ ନିକଟରେ ପହଞ୍ଚି ଯେଉଁ ବୟାନ ଦେଇଛନ୍ତି ତାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ।


ବରିଷ୍ଠ ପୋଲିସ ଅଧିକାରୀ କୁହନ୍ତି, ଏହି ମହିଳା ଜଣକ ଦିଲ୍ଲୀର ଗ୍ରାହକ ସେବା କେନ୍ଦ୍ରରେ କାର୍ଯ୍ୟ କରନ୍ତି। ମହିଳା ଫେରିବା ପରେ ପୋଲିସକୁ ନିସ୍ତାର ମିଳିଛି। ବମାନହାଲ୍ଲି ଜୋନ୍‌ର ସ୍ବତନ୍ତ୍ର ଅଧିକାରୀ କ୍ୟାପ୍ଟେନ ପି.ମଣିଭାନନ କହିଛନ୍ତି, ୨୮ ବର୍ଷୀୟା ଏହି ମହିଳା ଜଣକ ନିଜ ଓକିଲଙ୍କ ସହିତ ପୋଲିସ ନିକଟରେ ବୟାନ ଦେବାକୁ ଆସିଥିଲେ। ଯାହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଥିଲେ। ମହିଳା ଜଣକ ପୋଲିସକୁ କହିଛନ୍ତି, ତାଙ୍କ ସ୍ବାମୀ ଏବଂ ଦିଅର ଶାରୀରିକ ନିର୍ଯାତନା ଦେଉଥିଲେ। ତେଣୁ ମହିଳା ଜଣକ କରୋନା ପରୀକ୍ଷା କରିବା ପାଇଁ ଆମ୍ବୁଲାନ୍ସ ଡାକି ଘରୁ ଚାଲିଯାଇଥିଲେ। ଘରୁ ପଳାଇବା ପଛରେ ବିହାରର ୨ ବନ୍ଧୁଙ୍କ ସହାୟତା ଲୋଡ଼ିଥିଲେ। ଏନେଇ ମହିଳାଙ୍କ ଶାଶୁଘର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ମହିଳା ଜଣକ କହିଛନ୍ତି, ତାଙ୍କର ବୈବାହିକ ଜୀବନ ଭଲରେ କଟୁ ନ ଥିଲା। ତେଣୁ ସେ ଶାଶୁଘରେ ରହିବା ପାଇଁ ଚାହୁଁ ନ ଥିଲେ। ସେ କରୋନା ପରୀକ୍ଷା କରିବା ଆଳ କରି ଏକ ଆମ୍ବୁଲାନ୍ସ ଡକାଇ ଘରୁ ବାହାରି ଯାଇଥିଲେ। ବେଙ୍ଗାଲୁରୁ ମହାନନଗର ପ୍ରଶାସନିକ ଏବଂ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି, ଏହି ମାମଲା କରୋନା ସହିତ ଜଡ଼ିତ ନୁହେଁ।

Share