ସ୍ତ୍ରୀଙ୍କୁ ନେବାକୁ ଆସି ମାଡ଼ ଖାଇଲେ ସ୍ବାମୀ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ସ୍ତ୍ରୀଙ୍କୁ ନେବାକୁ ଆସି ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ସ୍ବାମୀ। ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ତ୍ରୀ ମାଡ଼ ମାରି ଲହୁଲୁହାଣ କରିବା ପରେ ଶୁକ୍ରବାର ସ୍ବାମୀ ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇଥିଲେ। ହେଲେ ପୋଲିସ ସହଯୋଗ ନ ମିଳିବାରୁ ସେ ସନ୍ଧ୍ୟାରେ ଥାନା ସାମ୍ନା ରାସ୍ତା କଡ଼ରେ ବସି କାନ୍ଦୁଥିଲେ। ସ୍ଥାନୀୟ ଲୋକେ ଏହାଦେଖି ତାଙ୍କୁ ପଚରାଉଚରା କରିବାରୁ ସେ ପୂରା ଘଟଣା କହିଥିଲେ। ଉକ୍ତ ବ୍ୟକ୍ତିଙ୍କ ଘର ଅନୁଗୋଳ ଜିଲା କଣିଆ ବ୍ଲକର ରେଙ୍ଗାଲି ଗ୍ରାମରେ ଓ ତାଙ୍କ ନାଁ ବିଜୟ କୁମାର ସାହୁ (୩୨)। ବାହାଘରକୁ ୧୧ ବର୍ଷ ହୋଇଥିବାବେଳେ ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି। ହେଲେ ବର୍ଷେ ହେଲା ତାଙ୍କ ସ୍ତ୍ରୀ ଆଉଜଣେ ପୁରୁଷଙ୍କ ସହ ଘରୁ ଲୁଚି ପଳାଇ ଆସିଥିଲେ। ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ମଞ୍ଚେଶ୍ୱରର ଝରଣା ସାହି (କ) ବସ୍ତିରେ ରହୁଥିବା ଜାଣିବା ପରେ ସେ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ଧରି ଶୁକ୍ରବାର ଭୁବନେଶ୍ୱର ଆସି ତାଙ୍କ ଘରେ ପହଞ୍ଚିଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ସ୍ତ୍ରୀଙ୍କ ସହ ରହୁଥିବା ପୁରୁଷ ବନ୍ଧୁ ଓ ଅନ୍ୟ କେତେଜଣ ଯୁବକ ତାଙ୍କୁ ଘେରି ଯାଇ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଜୀବନ ବିକଳରେ ମାଡ଼ଖାଇ ଉଭୟ ସେଠାରୁ ଖସି ଆସି ଥାନାରେ ପହଞ୍ଚିଥିଲେ। ସ୍ତ୍ରୀଙ୍କ ଇଙ୍ଗିତରେ ସମ୍ପୃକ୍ତ ଯୁବକମାନେ ତାଙ୍କୁ ଆକ୍ରମଣ କରିଥିବା ବିଜୟ କହିଛନ୍ତି। ପୋଲିସ ସବୁକଥା ବୁଝିବା ପରେ ବିଜୟଙ୍କୁ ଲିଖିତ ଅଭିଯୋଗ କରିବାକୁ କହିଥିଲେ। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିଲା।

Share