ପ୍ରଥମେ ସେଲ୍‌ଫି ନେଇ ୭ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହଜାର ଫୁଟ ଉଚ୍ଚରୁ ଠେଲିଦେଲେ ସ୍ବାମୀ, ଆଉ ତା’ ପରେ…

ଅଙ୍କାର,୧୭।୨: ତୁର୍କୀର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ମୃତ୍ୟୁ ପରେ ବିବାଦ ଘେରକୁ ଆସିଛନ୍ତି। ଏହି ବ୍ୟକ୍ତି ଜଣକ ପ୍ରଥମେ ହଲିଡେ ସ୍ପଟ୍‌କୁ ଯାଇ ସ୍ତ୍ରୀଙ୍କ ସହ ସେଲ୍‌ଫି ନେଇଥିଲେ। ପରେ ୧୦୦୦ ଫୁଟ ଉଚ୍ଚରୁ ୭ ମାସର ଗର୍ଭବତୀ ଥିବା ସ୍ତ୍ରୀଙ୍କୁ ଠେଲି ଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି।

୪୦ ବର୍ଷୀୟ ହକାନ ଆୟସଲ ଏବଂ ୩୨ ବର୍ଷୀୟା ସେମରା ତୁର୍କୀ ସହରର ମୁଗଲାକୁ ଛୁଟି କଟାଇବାକୁ ଯାଇଥିଲେ। ଏହି ଦମ୍ପତି ଓ୍ବାଟରଫ୍ଲାଇ ବେଲି ନିକଟରେ ୧୦୦୦ ଫୁଟ ଉଚ୍ଚ ଚଟାଣ ନିକଟରେ ଥିଲେ। ହକାନ ପ୍ରଥମେ ସ୍ତ୍ରୀଙ୍କ ସହ ସେଲ୍‌ଫି ନେଇଥିଲେ। ପରେ ତାଙ୍କୁ ଠେଲି ଦେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗରେ ଦର୍ଶାଯାଇଛି, ହକାନ ତାଙ୍କ ସ୍ତ୍ରୀଙ୍କୁ ବୁଲାଇ ନେବା ଆଳରେ ଠେଲି ମାରି ଦେଇଛନ୍ତି। ସେମରାଙ୍କ ଭାଇଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଭଉଣୀଙ୍କୁ ହକାନ ଜାଣିଶୁଣି ମାରି ଦେଇଛନ୍ତି। ଏହି ଘଟଣା ଜାଣିବା ପରେ ତାଙ୍କ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ହକାନଙ୍କର କୌଣସି ଦୁଃଖ ନ ଥିବା ସ୍ପଷ୍ଟ ହୋଇଛି। ସେ ଆହୁରି ଅଭିଯୋଗ କରିଛନ୍ତି, ହକାନଙ୍କୁ ଉଚ୍ଚ ସ୍ଥାନକୁ ଯିବାକୁ ଡର ଲାଗେ। ତେବେ ସେ କ’ଣ ପାଇଁ ମୋ’ ଭଉଣୀଙ୍କୁ ନେଇ ସେଠାକୁ ଯାଇଥିଲେ। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ସେ ଯୋଜନା ବଦ୍ଧ ଭାବେ ମୋ ଭଉଣୀଙ୍କୁ ମାରି ଦେଇଛନ୍ତି।

ଅନ୍ୟପକ୍ଷରେ ହକାନ କୁହନ୍ତି, ମୁଁ ସେମରାଙ୍କୁ ମାରି ନାହିଁ। ସେ କହିଛନ୍ତି, ମୁଁ ଫଟୋ ଉଠାଇବା ପରେ ସ୍ତ୍ରୀଙ୍କ ଫୋନ୍‌ ତାଙ୍କ ବ୍ୟାଗରେ ରଖି ଦେଇଥିଲି। ଏହା ପରେ ସେ ମୋତେ ଫୋନ୍‌ ମାଗିଥିଲେ। ମୁଁ ଉଠିବା ସମୟରେ ସେ ବ୍ୟାଗରୁ ଫୋନ୍‌ ବାହାର କରୁଥିଲେ। ଏହି ସମୟରେ ତାଙ୍କ ପାଟି ଶୁଣିଲି। ପଛକୁ ଚାହିଁବାରୁ ସେ ତଳକୁ ପଡ଼ିଯାଇଥିଲେ। ମୁଁ ଠେଲି ନାହିଁ ବୋଲି ହକାନ କହିଛନ୍ତି। ତେବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Share