ବଡବିଲ, ୪।୮: ଗତ ୨ ତାରିଖରେ ଆତ୍ମହତ୍ୟା କରିଥିଲେ କେନ୍ଦୁଝର ଜିଲା ବଡ଼ବିଲ ଥାନା ଧୋବି ହଟିଂ ଅଞ୍ଚଳରେ ରହୁଥିବା ସୁଶାନ୍ତ ମହାକୁଡ଼। ତେବେ ଏହା ପଛରେ ଥିଲା ସ୍ତ୍ରୀ ସିମରାନୀଙ୍କ ହାତ। ପୋଲିସ ତଦନ୍ତରୁ ଏହା ପର୍ଦ୍ଦାଫାଶ ହୋଇଛି। ପରକୀୟା ପ୍ରୀତି ଯୋଗୁ ସେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଇନ୍ସପେକ୍ଟର ସୁଶାନ୍ତ ଦାସ ସୂଚନା ଦେଇଛନ୍ତି। ଏହି ଘଟଣାରେ ପୋଲିସ ସିମରାନୀ ଓ ତାଙ୍କ ପ୍ରେମିକ କେବଲ ସିଂଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ବଲାଣୀ ଥାନା ଲସରଦା ଗ୍ରାମର ସୁଶାନ୍ତ ମହାକୁଡ ବିବାହ ପରେ ସ୍ତ୍ରୀ ସିମରାନୀଙ୍କ ସହ ବଡବିଲ ଥାନା ଅନ୍ତର୍ଗତ ଧୋବି ହଟିଂରେ ଭଡା ଘରେ ରହିଆସୁଥିଲେ। ତେବେ ସୁଶାନ୍ତଙ୍କ ଅନୁପସ୍ଥିତିରେ ଘରକୁ ଆସୁଥିଲେ କେବଲ ସିଂ। ଦୁଇ ବର୍ଷ ଧରି ଏମିତି ଚାଲିଥିଲା। ଗତ ୨ ତାରିଖରେ ସୁଶାନ୍ତ ଏକ ଶାଢୀରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ।