Categories: ଫୁରସତ

ଗର୍ଭବତୀ ସ୍ତ୍ରୀଙ୍କ ପରୀକ୍ଷା ପାଇଁ ୧୧୭୬ କିମି ସ୍କୁଟି ଚଲାଇଲେ ସ୍ବାମୀ

ଗ୍ବାଲିଅର, ୩।୯: ଯଦି ଦୃଢ଼ ଇଚ୍ଛାଶକ୍ତି ଥାଏ ତେବେ ଅସମ୍ଭବ ବି ସମ୍ଭବପର ହୋଇଥାଏ। ଯାହାକୁ ଝାଡ଼ଖଣ୍ଡର ଧନଞ୍ଜୟ ମାଝି କରି ଦେଖାଇଛନ୍ତି। ଧନଞ୍ଜୟ ଝାଡ଼ଖଣ୍ଡରେ ରହୁଥିଲେ ମଧ୍ୟ ଏହି ସମୟରେ ତାଙ୍କର ଚର୍ଚ୍ଚା ମଧ୍ୟପ୍ରଦେଶରେ ଖୁବ୍‌ ଜୋରରେ ଚାଲିଛି। ସ୍ତ୍ରୀ ସୋନିଙ୍କ ପରୀକ୍ଷା ଲାଗି ଧନଞ୍ଜୟ ଝାଡ଼ଖଣ୍ଡର ଗୋଡାରୁ ୧୧୭୬ କିମି ସ୍କୁଟି ଚଲାଇ ମଧ୍ୟପ୍ରଦେଶର ଗ୍ବାଲିଅରରେ ପହଞ୍ଚିଛନ୍ତି।


ଚର୍ଚ୍ଚା ଏଥିପାଇଁ ହେଉଛି କି ସେ ତାଙ୍କର ୭ ମାସର ଗର୍ଭବତୀ ସ୍ତ୍ରୀଙ୍କ ଇଚ୍ଛା ପୂରଣ ଲାଗି ଗ୍ବାଲିଅର ପର୍ଯ୍ୟନ୍ତ ସ୍କୁଟି ଚଲାଇ ଯାଇଛନ୍ତି। ତାଙ୍କ ସ୍ତ୍ରୀ ସୋନି ବର୍ତ୍ତମାନ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରୀ ଏଜୁକେଶନ (ଡିଏଲ୍‌ଇଡି) ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି। ସେପ୍ଟେମ୍ବର ୧୧ରୁ ତାଙ୍କ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷାରୁ ବଞ୍ଚିତ ହେବାକୁ ସୋନିଙ୍କ ଇଚ୍ଛା ନ ଥିଲା। ତେଣୁ ସ୍ତ୍ରୀଙ୍କୁ ପରୀକ୍ଷା ସ୍ଥଳରେ ପହଞ୍ଚାଇବା ଲାଗି ଧନଞ୍ଜୟ ଚିନ୍ତିତ ହୋଇପଡ଼ିଥିଲେ। ଧନଞ୍ଜୟ ଗୁଜରାଟରେ ରୋଷେୟା ଭାବେ କାମ କରୁଥିଲେ ମଧ୍ୟ କରୋନା ଲାଗି ତାଙ୍କ ଚାକିରି ଚାଲିଯାଇଛି। ଏଭଳି ପରିପ୍ରେକ୍ଷୀରେ ତାଙ୍କ ଆର୍ଥିକସ୍ଥିତି ମଧ୍ୟ ଏତେ ସ୍ବଚ୍ଛଳ ନାହିଁ। ସେହିଭଳି ବର୍ତ୍ତମାନ କରୋନା ଲାଗି ଟ୍ରେନ ଚଳାଚଳ ବନ୍ଦ ରହିଛି। ତେଣୁ ବ୍ୟକ୍ତିଗତ ଭାବେ ଗାଡ଼ି ଭଡ଼ା କରି ଝାଡ଼ଖଣ୍ଡରୁ ମଧ୍ୟପ୍ରଦେଶ ଯିବା ତାଙ୍କ ପକ୍ଷେ ସମ୍ଭବପର ନ ଥିଲା। ଫଳରେ ସ୍ତ୍ରୀଙ୍କ ଇଚ୍ଛା ପୂରଣ ଲାଗି ଶେଷରେ ଧନଞ୍ଜୟ ସ୍କୁଟି ଧରି ଝାଡ଼ଖଣ୍ଡରୁ ଗ୍ବାଲିଅର ଅଭିମୁଖେ ବାହାରିଥିଲେ। ୭ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ସ୍କୁଟିରେ ବସାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଛନ୍ତି। ଗସ୍ତ ମଧ୍ୟରେ ସେ ବିହାର, ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ପାହାଡ଼ି ଇଲାକା ଦେଇ ଯାତ୍ରା କରିଥିଲେ। ୨୮ ଅଗଷ୍ଟରୁ ସେ ଘରୁ ବାହାରି ୩୦ ଅଗଷ୍ଟରେ ଗ୍ବାଲିଅରରେ ପହଞ୍ଚିଥିଲେ। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଯେ, ପାଖରେ ଟଙ୍କାର ଅଭାବ ଥିବାରୁ ସେ ତାଙ୍କ ସ୍ତ୍ରୀଙ୍କ ଗହଣା ବନ୍ଧା ପକାଇ ୧୦ ହଜାର ଟଙ୍କା ଯୋଗାଡ଼ କରି ଏହି ଯାତ୍ରା କରିଛନ୍ତି।

Share