ସ୍ତ୍ରୀଙ୍କ ମୃତଦେହକୁ ସୋନ ନଦୀରେ ଭସାଇଲେ ସ୍ବାମୀ

ଭୋପାଳ, ୩୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ କାମଧନ୍ଦା ଅଭାବରୁ ବହୁ ଦିନମଜୁରିଆଙ୍କ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଏହା ସଦ୍ୟତମ ଘଟଣା ମଧ୍ୟପ୍ରଦେଶର ସିଦ୍ଧି ଜିଲାରେ ଘଟିଛି। ସ୍ଥାନୀୟ କୋଟହା ମହଲା ବାସିନ୍ଦା ମହେଶ କୋଲଙ୍କ ୬୨ବର୍ଷ ବୟସ୍କା ସ୍ତ୍ରୀ ଦୁଆସିଆ ଦୀର୍ଘଦିନ ରୋଗଗ୍ରସ୍ତ ହେବା ପରେ ରବିବାର ଆଖି ବୁଜିଥିଲେ। ତେବେ ମହେଶଙ୍କ ପାଖରେ ଅନ୍ତିମ ସଂସ୍କାର ପାଇଁ ଆବଶ୍ୟକ ଟଙ୍କା ନ ଥିଲା। ସହାୟତା ଲାଗି ମହେଶ ନଗର ପାଳିକା ପରିଷଦ କାର୍ଯ୍ୟାଳୟ ଯାଇଥିଲେ। ତେବେ ରବିବାର ଯୋଗୁ କାର୍ଯ୍ୟାଳୟ ବନ୍ଦ ଥିଲା। ତେଣୁ ସେ ଉପାୟ ନ ପାଇ ଦୁଆସିଆଙ୍କ ମୃତଦେହକୁ ସ୍ଥାନୀୟ ସୋନ୍‌ ନଦୀରେ ଭସାଇ ଦେଇଥିଲେ। କରୋନା ସଂକ୍ରମଣ ଭୟରେ ମୃତଦେହ ନେବାକୁ କେହି ନ ଆସିବାରୁ ଟ୍ରଲି ରିକ୍ସାରେ ଘରଠାରୁ ୧୨ କିମି ଦୂର ସୋନ ନଦୀରେ ନେଇ ଭସାଯାଇଥିବା ମୃତକଙ୍କ ଭାଇ ରମାବତାର କୋଲ କହିଛନ୍ତି। ଏସମ୍ପର୍କିତ ଖବର ଜିଲାପାଳ ରବୀନ୍ଦ୍ର କୁମାର ଚୌଧୁରୀଙ୍କୁ ମିଳିବା ପରେ ସେ ନଗର ପାଳିକା ପରିଷଦରୁ ୫ ହଜାର ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ମହେଶଙ୍କ ପରିବାରକୁ ଯୋଗାଇ ଦେଇଛନ୍ତି। ମହେଶଙ୍କ ପରିବାରକୁ ଅନ୍ୟ ଅବାଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ନଗର ପାଳିକା ପରିଷଦ ସିଏମ୍‌ଓ ଅମର ସିଂ ପ୍ରକାଶ କରିଛନ୍ତି।

Share