Advertisement

ଯୌତୁକ ହତ୍ୟା ମାମଲାର ରାୟ ପ୍ରକାଶ: ସ୍ବାମୀ, ଶ୍ୱଶୁର, ନଣନ୍ଦଙ୍କୁ ୧୪ ବର୍ଷ ଜେଲ୍‌ ଦଣ୍ଡାଦେଶ

ଭବାନୀପାଟଣା,୨ା୧୧(ସ୍ବ.ପ୍ର.): କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ ଡଙ୍ଗାପଖାନ ଗ୍ରାମରେ ୨୦୧୪ରେ ହୋଇଥିବା ଯୌତୁକ ଜନିତ ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ଏହି ମାମଲାରେ ଭବାନୀପାଟଣା ଅତିରିକ୍ତ ଜିଲା ଓ ଦୌରାଜଜ୍‌ ଶୁଭଞ୍ଜନ ମହାନ୍ତି ଶୁଣାଣି କରି ଅଭିଯୁକ୍ତ ସ୍ବାମୀ ଦଧି ଜାଲ,ଶ୍ୱଶୁର ଝଜ ଜାଲ ଓ ନଣନ୍ଦ ଘନକେଶୀ ଜାଲଙ୍କୁ ୧୪ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ୩ ମାସ ଅଧିକ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡ଼ିବ ବୋଲି ରାୟରେ ଶୁଣାଇଛନ୍ତି।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲା ତୁର୍କେଲ ଗ୍ରାମର ନରେନ୍ଦ୍ର ବାଗଙ୍କ ଝିଅ ଯଶୋବନ୍ତୀ ବାଗ କେଗାଁ ଥାନା ଡଙ୍ଗାପଖାନ ଗ୍ରାମର ଦଧି ଜାଲଙ୍କୁ ବିବାହ କରିଥିଲେ। ବିବାହ ସମୟରେ ସୁନା ଚେନ୍‌ ଦେଇ ନ ଥିବାରୁ ଦଧିଙ୍କ ପରିବାର ଯଶୋବନ୍ତୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଯଶୋବନ୍ତୀ ବାଗ୍‌ଙ୍କ ଦ୍ୱିତୀୟ ସନ୍ତାନଙ୍କ ଏକୋଇଶିଆ ଦିନ ସୁନା ଚେନ୍‌ ଦେଇ ନ ଥିବା ଅଭିଯୋଗରେ ସ୍ବାମୀ ଦଧି (୨୯),ଶ୍ୱଶୁର ଝଜ (୫୪) ଓ ନଣନ୍ଦ ଘନକେଶୀ (୨୨) ମିଶି ତାଙ୍କୁ ହତ୍ୟା କରି ବେକରେ ଶାଢ଼ି ଦେଇ ଝୁଲାଇ ଦେଇଥିଲେ। ଏ ନେଇ ଯଶୋବନ୍ତୀଙ୍କ ନରେନ୍ଦ୍ର ବାଗ ବାପା କେଗାଁ ଥାନାରେ ଝିଅକୁ ହତ୍ୟା କରାଯାଇଥିବା ନେଇ ସେତେବେଳେ ଅଭିଯୋଗ କରିଥିଲେ। ପରେ ଏହି ଘଟଣାରେ ପୋଲିସ ତଦନ୍ତ କରି ବାପ,ପୁଅ ଓ ଝିଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel