Advertisement

ସ୍ବାମୀ ପ୍ରାର୍ଥୀ, ପ୍ରଚାର କରୁଛନ୍ତି ସ୍ତ୍ରୀ

ଭଦ୍ରକ,୨୪ା୫(ସନାତନ ରାଉତ):ପୂର୍ବ ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ବାପ, ପୁଅ ପ୍ରଚାର କରୁଥିବା ବେଳେ ଚଳିତ ନିର୍ବାଚନରେ ଭଦ୍ରକ ଜିଲାରେ ପ୍ରାର୍ଥୀମାନଙ୍କ ପାଇଁ ସେମାନଙ୍କ ସ୍ତ୍ରୀ ପ୍ରଚାର କରୁଥିବାର ଟ୍ରେଣ୍ଡ ଦେଖିବାକୁ ମିଳୁଛି। ଅଧିକାଂଶ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ସେମାନଙ୍କ ସ୍ତ୍ରୀ। ଭଦ୍ରକ ଲୋକସଭା ଭାଜପା ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ପାଇଁ ତାଙ୍କ ସ୍ତ୍ରୀ ଶ୍ରାବଣୀ ପ୍ରିୟଦର୍ଶନୀ ବୁଧବାର ଭଦ୍ରକ ପୌରପାଳିକାର ଜଗନ୍ନାଥପୁର ଅଞ୍ଚଳରେ ଲୋକଙ୍କୁ ଭେଟି ଭୋଟ ମାଗୁଥିବା ଦେଖିବାକୁ ମିଳିଥିଲା। ଭୋଟରମାନଙ୍କୁ ପୁସିଂ କାଡର୍ର୍ ଦେବା ସହ ଓଡ଼ିଶାରେ ପରିବର୍ତ୍ତନ ସହ କେନ୍ଦ୍ରରେ ପୁଣିଥରେ ମୋଦିଙ୍କ ସରକାର ଗଠନ ପାଇଁ ସେ ଲୋକଙ୍କୁ ବୁଝାଉଥିବା ଦେଖାଦେଇଥିଲା। ତାଙ୍କ ସହ ସ୍ବୀକୃତି ମହାନ୍ତି, ମଞ୍ଜୁଲତା ରାୟ, ନିବେଦିତା ପଣ୍ଡା, ନିର୍ମଳାମଣି ନାୟକ ପ୍ରମୁଖ ମହିଳାମାନେ ସାମିଲ ହୋଇଥିଲେ। ସେହିପରି ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ପ୍ରଣିତା ସାମଲ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ସେହିପରି ଭଦ୍ରକ ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ସୀତାଂଶୁ ଶେଖର ମହାପାତ୍ର ପ୍ରଥମ ଥର ପାଇଁ ରାଜନୀତିକୁ ଆସିଥିବା ବେଳେ ତାଙ୍କ ସ୍ତ୍ରୀ ଅମୃତାଂଶୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଧାମନଗରର ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସଙ୍କ ପାଇଁ ତାଙ୍କ ସ୍ତ୍ରୀ ମଧୁସ୍ମିତା ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ବାସୁଦେବପୁରରେ ବିଜେଡିି ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟଙ୍କ ପାଇଁ ତାଙ୍କ ସ୍ତ୍ରୀ ଋତୁପୂର୍ଣ୍ଣା ପ୍ରଚାର କରୁଛନ୍ତି। ସଭାସମିତିରେ ସ୍ବାମୀଙ୍କ ସହ ଗୀତ ଗାଇ ଭୋଟରଙ୍କୁ ଆକୃଷ୍ଟ କରୁଥିବା ଦେଖିବାକୁ ମିଳିଛି। ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ସୁଧାଂଶୁ ନାୟକଙ୍କ ପାଇଁ ତାଙ୍କ ସ୍ତ୍ରୀ ରେବତୀ ନାୟକ ପ୍ରଚାର କରୁଛନ୍ତି। ରେବତୀ ପୂର୍ବରୁ ୨ ଥର ବନ୍ତ ବ୍ଲକ ଅଧ୍ୟକ୍ଷା ଓ ୧୫ ନଂ. ଜୋନ୍‌ର ଜିଲା ପରିଷଦ ସଭ୍ୟା ଥିଲେ। ସଭାସମିତିରେ ପ୍ରଭାବୀ ଭାଷଣ ଦେଇ ସ୍ବାମୀଙ୍କ ସପକ୍ଷରେ ଜୋରଦାର ପ୍ରଚାର କରୁଛନ୍ତି। ସ୍ତ୍ରୀମାନଙ୍କ ପ୍ରଚାର ଏଥର ନିର୍ବାଚନରେ ବେଶ୍‌ ପ୍ରଭାବୀ ହେଉଥିବା ପରିଲକ୍ଷିତ ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share