Advertisement

ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଦେଗଗଡ଼/ରିଆମାଳ,୨ା୧୧(ଡି.ଏନ୍‌.ଏ.): କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ତୋଟାବାରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ତ୍ରୀଙ୍କ ପରକୀୟା ପ୍ରୀତିକୁ ସନ୍ଦେହ କରି ଏକ ଠେଙ୍ଗାରେ ପିଟିବା ସହିତ ପଥରରେ ଛେଚି ହତ୍ୟା କରିବା ପରେ ସ୍ବାମୀ ଫେରାର ହୋଇଯାଇଛନ୍ତି। ମୃତ ମହିଳା ଜଣକ ହେଲେ ତୋଟାବାରୀ ଗ୍ରାମର ବାଳକୃଷ୍ଣ ନାଏକ ସ୍ତ୍ରୀ ମିନତୀ।

ଘଟଣାରୁ ପ୍ରକାଶ, ତୋଟାବାରୀ ଗ୍ରାମର ବାଳକୃଷ୍ଣ ନାଏକ ବୈଦିକ ରୀତିରେ ୬ବର୍ଷ ତଳେ ଛେଣ୍ତିପଦା ଥାନା ଖଇରବେରେଣି ଗ୍ରାମର ମିନତୀ ନାଏକଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ବାଳକୃଷ୍ଣ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଘରେ କିଛିଦିନ ହେବ ଝଗଡ଼ା କରୁଥିଲେ। ମଙ୍ଗଳବାର ଅପରାହ୍ନରେ ସ୍ତ୍ରୀଙ୍କୁ ପାଖ ଗ୍ରାମକୁ ଯିବା କହି ମୋଟର ସାଇକେଲରେ ଦୁଇ ଶିଶୁ କନ୍ୟାକୁ ନେଇ ଯାଉଥିବା ବେଳେ ନିଛାଟିଆ ସ୍ଥାନରେ ମୋଟରସାଇକେଲ ରଖିଥିଲେ। ସେଠାରେ ପୂର୍ବ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାଳକୃଷ୍ଣ ଏକ ବାଡ଼ିରେ ନିର୍ଧୂମ ମାଡ଼ ମାରିବା ସହ ଏକ ପଥରରେ ଛେଚି ମିନତୀଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଫେରାର ପରେ ବାଳକୃଷ୍ଣ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଫୋନରେ ସ୍ତ୍ରୀକୁ ହତ୍ୟା କରିଥିବା ଜଣାଇଥିଲା । ତେବେ ମିନତୀଙ୍କ ଶାଶୁଘରଠାରୁ ଖବର ପାଇ ମିନତୀଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିବା ସହିତ ଭାଇ ରଣଜିତ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ କୁଣ୍ଢେଇଗୋଳା ପୋଲିସ କେସ୍‌ ନଂ ୩୯୬/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଦେବଗଡ଼ ଏସ୍‌ଡିପିଓ ଅନିଲ କୁମାର ବେଉରିଆ,କୁଣ୍ଢେଇଗୋଳା ଥାନାଧିକାରୀ ସନ୍ତୋଷ କୁମାର ସେଠୀ ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ପୋଲିସ ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ଘଟଣାର ତଦନ୍ତ ଚାଲିଥିବା ପୋଲିସ କହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel