Categories: ଜାତୀୟ

ମୋବାଇଲ୍‌ ପାଇଁ ସ୍ତ୍ରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଲେ ସ୍ବାମୀ

ଚତରା,୫।୧୧:ଝାଡଖଣ୍ଡର ଚତରାରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ମୋବାଇଲ୍‌ ପାଇଁ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ। ମୋବାଇଲକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ବାମୀ ସ୍ତ୍ରୀକୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ। ଏହି ଘଟଣା ସଦର ପୋଲିସ ଷ୍ଟେଶନ ଅଞ୍ଚଳର ସୀମା ପଞ୍ଚାୟତ ଅନ୍ତର୍ଗତ ହାସବୋ ଗ୍ରାମରୁ ଆସିଛି। ଉମେଶ ଭୁୟାଁଙ୍କ ସ୍ତ୍ରୀ ଡଲି ଦେବୀଙ୍କ ମୃତ୍ୟୁ ପରେ ଏହି ଅଞ୍ଚଳରେ ଆତଙ୍କ ଖେଲି ଯାଇଛି। ତେବେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ଏସଡିପିଓ ଅବିନାଶ କୁମାର ଏବଂ ପୋଲିସ ଅଧିକାରୀ ଲଭ କୁମାର ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛନ୍ତି। ସୂଚନାଯୋଗ୍ୟ, ଉମେଶ ଦୁଇ ଦିନ ପୂର୍ବରୁ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ। ଏହି ସମୟରେ ତାଙ୍କ ମୋବାଇଲ ହଜି ଯାଇଥିଲା। ପରେ ସେ ନିଜ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ତାଙ୍କ ସ୍ତ୍ରୀ ଡଲିଙ୍କ ସହ ମୋବାଇଲ ହଜିବାକୁ ନେଇ ଝଗଡା ହୋଇଥିଲା। ପରିଜନଙ୍କ ଅନୁଯାୟୀ, ଶ୍ୱଶୁର ଘରେ କୋଉ ଝିଅକୁ ଫୋନ ଦେଇଥିବା କହି ସ୍ବାମୀଙ୍କ ସହ ଝଗଡା କରିଥିଲେ ଡଲି। ଏହାପରେ ଉଭୟ ଶୋଇବାକୁ ଯାଇଥିଲେ। ପରଦିନ ସକାରେ ଡଲିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ସେଠାରେ ଉମେଶ ଶୋଇ ରହିଥିଲେ। ଉଭୟ ମାତ୍ର ୬ ମାସ ହେବ ବିବାହ କରିଥିଲେ।

Share