ନବବିବାହିତା ସ୍ତ୍ରୀଙ୍କୁ ଖଣ୍ଡ ଖଣ୍ଡ କରି ନଦୀକୁ ଫିଙ୍ଗିଲେ ସ୍ବାମୀ

ସୋରଡ଼ା, ୧୪ା୯(ଲମ୍ବୋଦର ପାଣିଗ୍ରାହୀ): ନବବିବାହିତା ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି କାଟି ନଦୀକୁ ଫିଙ୍ଗିଦେଇଛନ୍ତି ସ୍ବାମୀ। ଏଭଳି ବୀଭତ୍ସ ଓ ଲୋମହର୍ଷଣକାରୀ ଘଟଣା ଘଟିଛି ଗଞ୍ଜାମ ଜିଲା ସୋରଡ଼ା ଥାନା ଭଗବାନପୁର ଗ୍ରାମରେ।

ଭଗବାନପୁର ଗାଁର ନାରଣ ମୂଳି କବିସୂର୍ଯ୍ୟନଗର ବ୍ଲକ ଜାଗିଲିପଦର ଗାଁର ବୁଲି ମୂଳିଙ୍କୁ ରଥଯାତ୍ରା ସମୟରେ ସୋରଡ଼ା ପଞ୍ଚାନନ ମନ୍ଦିରରେ ବୈଦିକ ରୀତିରେ ବିବାହ କରିଥିଲେ। ଅର୍ଥାଭାବ ଯୋଗୁ ନାରଣ ଶ୍ୱଶୁର ଘରେ ରହୁଥିଲେ। ତେବେ କିଛିଦିନ ତଳେ ଉଭୟ ଭଗବାନପୁର ଆସିଥିଲେ। ବୁଧବାର ରାତିରେ ଘରେ ବୁଲି ଓ ନାରଣ ଏକାକୀ ଥିଲେ। ରାତିରେ ନାରଣ ବୁଲିଙ୍କୁ ତାଙ୍କର ସୁନାଚେନ ମାଗିଥିଲେ। ବୁଲି ମନା କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ନାରଣ ଉତ୍‌କ୍ଷିପ୍ତ ହୋଇ ବୁଲିଙ୍କ ଗୋଡ଼ ଦୁଇଟିକୁ ବାନ୍ଧି ବେଲ୍ଟରେ ତଣ୍ଟି ଚିପି ଦେଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତିରେ ଗାଁ ଶୂନଶାନ ହୋଇଯିବା ପରେ ନାରଣ ମୃତଦେହକୁ ଲୁଗାରେ ଗୁଡ଼ାଇ ଋଷିକୂଲ୍ୟା ନଦୀରେ ଫିଙ୍ଗିବାକୁ ଯାଉଥିଲେ। ମୃତଦେହକୁ ଟେକି ନ ପାରିବାରୁ ଅଧାବାଟରେ ରଖି ଘରକୁ ଫେରି ଏକ ଟାଙ୍ଗିଆ ଓ ସାଇକେଲ ନେଇ ଯାଇଥିଲେ। ଅଧାବାଟରୁ ମୃତଦେହକୁ ସାଇକେଲରେ ବୋହି ନଦୀପଠାକୁ ଯାଇଥିଲେ। ସେଠାରେ ଟାଙ୍ଗିଆରେ ବୁଲିଙ୍କ ଦୁଇ ଗୋଡ଼, ଦୁଇ ହାତ ଓ ମୁଣ୍ଡକୁ ହାଣି ଋଷିକୂଲ୍ୟା ନଦୀକୁ ଫିଙ୍ଗି ଦେଇଥିଲେ। ରାତି ପାହିବା ପୂର୍ବରୁ ସେ ଘରକୁ ଫେରି ଆସିଥିଲେ। ହେଲେ ଶୋଇ ନ ପାରି ଘର ଚାରି ପାର୍ଶ୍ୱରେ ଘୂରି ବୁଲିଥିଲେ। ଗୁରୁବାର ସକାଳେ ବୁଲି ନିଖୋଜ ହୋଇଯାଇଥିବା ନେଇ ତାଙ୍କ ବାପଘରକୁ ଖବର ଦେଇଥିଲେ। ବୁଲିଙ୍କ ପରିବାର ଲୋକେ ଆସି ପହଞ୍ଚିବା ପରେ କାନ୍ଦବୋବାଳି କରିଥିଲେ। ଏହା ଶୁଣି ଗ୍ରାମବାସୀ ରୁଣ୍ଡ ହୋଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାରଣଙ୍କୁ ପଚରାଉଚରା କରିବାରୁ ସେ ବୁଲିଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ନଦୀକୁ ଫିଙ୍ଗିଦେଇଥିବା ସ୍ବୀକାର କରିଥିଲେ। ପୋଲିସ, ଦମକଳ ବାହିନୀ ପହଞ୍ଚି ନଦୀରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଖୋଜିଥିଲେ ମଧ୍ୟ ପାଇ ନ ଥିଲେ।

Share