ସ୍ତ୍ରୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହ ଆଣି ରାସ୍ତାକଡ଼ରେ ଫିଙ୍ଗିଥିଲେ ସ୍ବାମୀ: ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ

କୋଣାର୍କ,୧୯।୯: କୋଣାର୍କ ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଜବତ ଘଟଣାର ପୋଲିସ ଗୁରୁବାର ପର୍ଦ୍ଦାଫାଶ କରିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି। ଘରେ ସ୍ତ୍ରୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଆଣି ରାସ୍ତାକଡ଼ରେ ଫିଙ୍ଗିଥିବା ଅଭିଯୁକ୍ତ ସ୍ବାମୀ ପୋଲିସ ଆଗରେ ସ୍ବୀକାର କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ପୋଲିସ ଏହି ଘଟଣାରେ ଅଭିଯୁକ୍ତ ସ୍ବାମୀଙ୍କୁ ସହଯୋଗ କରିଥିବା କାର୍‌ ଡ୍ରାଇଭରଙ୍କୁ ମଧ୍ୟ ଗିରଫ କରିଛି।

ମିଳିଥିବା ସୂଚନା ମୁତାବକ, ଚାରିଛକ ଥାନା ଅଧୀନ ସଇଦାବାଦ ଗାଁରେ ଜଣେ ମହିଳାଙ୍କୁ ହତ୍ୟା କରି କୋଣାର୍କ ରାସ୍ତା ବନାଖଣ୍ଡିରେ ଆଣି ଫିଙ୍ଗି ଦିଆଯାଇଥିଲା। ସ୍ଥାନୀୟ ଲୋକେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ପୋଲିସ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତଦନ୍ତ ପରେ ମହିଳାଙ୍କ ସ୍ବାମୀଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ପଚରାଉଚରା ବେଳେ ସେ ପୋଲିସ ଆଗରେ ଘରେ ସ୍ତ୍ରୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଆଣି ରାସ୍ତାକଡ଼ରେ ଫିଙ୍ଗିଥିବା ସ୍ବୀକାର କରିଥିଲେ। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କ ସ୍ବାମୀଙ୍କୁ ଗିରଫ କରିଛି।

Share