ଜୁଆ ଖେଳରେ ସ୍ତ୍ରୀଙ୍କୁ ବାଜି ରଖି ହାରିଲେ ସ୍ବାମୀ…

ମିରଟ,୨୧।୫ : ମଣିଷ ହୁଏତ ଆଜି ଚନ୍ଦ୍ରରେ ପହଞ୍ଚିସାରିଛି, କିନ୍ତୁ ଏବେ ବି ମହିଳା ନିର୍ଯାତନା କମି ନାହିଁ। ଏହାର ଏକ ସଦ୍ୟତମ ମାମଲା ଉତ୍ତରପ୍ରଦେଶର ମିରଟ ଜିଲାରେ ଘଟିଛି। ଜଣେ ନିଶାସକ୍ତ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଜୁଆ ଖେଳରେ ବାଜି ଲଗାଇ ହାରି ଯାଇଛନ୍ତି। ଏହା ମହାଭାରତରର ପଶା ଖେଳ କଥା ମନେ ପକାଇ ଦେଇଛି। କେବଳ ଏତିକି ନୁହେଁ ସ୍ବାମୀ ଜଣକ ସ୍ତ୍ରୀଙ୍କୁ ନିଜ ସାଙ୍ଗ ସହିତ ଜୁଆର ପ୍ରତିଶ୍ରୁତି ଅନୁସାରେ ଶାରୀରିକ ସମ୍ପର୍କ ରଖିବାକୁ ମଧ୍ୟ ବାଧ୍ୟ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ଟିମ ତାଙ୍କ ସାଙ୍ଗଙ୍କ ପାଖରେ ଶନିବାର ପହଞ୍ଚିଥିଲେ। ପୀଡିତା ମହିଳା ଜଣକ କହିଥିଲେ ତାଙ୍କ ସ୍ବାମୀ ଜଣେ ମଦ୍ୟପ। ସେ ଜୁଆ ଖେଳନ୍ତି। ପୀଡିତା ମହିଳାଙ୍କ କହିବାନୁସାରେ, ସ୍ବାମୀ ବୁଧବାର ବିଳମ୍ବିତ ରାତିରେ ମଦ୍ୟପାନ କରି ଘରକୁ ଆସିଥିଲେ। ସ୍ବାମୀ କହିଥିଲେ ସେ ଜୁଆରେ ତାଙ୍କୁ ହରାଇଛନ୍ତି।

ଆସନ୍ତାକାଲି ବନ୍ଧୁ ଘରକୁ ଆସିବେ ଏବଂ ତୁମକୁ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ପଡିବ। ମହିଳାଙ୍କ କହିବାନୁସାରେ, ସେ ଏହାକୁ ବିରୋଧ କରିଥିଲେ। ମାତ୍ର ମଦ୍ୟପ ସ୍ବାମୀ ତାଙ୍କୁ ପିଟିବା ଆରମ୍ଭ କରିଥିଲେ। ଏହାପରେ ମହିଳା ଜଣକ ସ୍ବାମୀ ଶୋଇବା ପରେ ଘରୁ ଲୁଚି ଥାନାରେ ପହଞ୍ଚି ପୋଲିସଙ୍କୁ ସମସ୍ତ କଥା ବଖାଣିଥିଲେ। ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି। ମହିଳାଙ୍କୁ ଆବଶ୍ୟକ ସୁରକ୍ଷା ପ୍ରଦାନ କରାଯାଇଛି।

Share