ମହାରାଷ୍ଟ୍ର,୧୯ା୯: ନାଭି ମୁମ୍ବାଇ ବଶୀର ଜଣେ ୨୮ ବର୍ଷୀୟ ବିବାହିତ ଯୁବକ ଗତ ଜୁଲାଇ ୨୪ ରାତିରେ ସ୍ତ୍ରୀଙ୍କୁ ଫୋନ୍ କରି କହିଲେ ‘ମୋର ରିପୋର୍ଟ କରୋନା ପଜିଟିଭ୍ ଆସିଛି, ମୁଁ ଆଉ ବଞ୍ଚିବିନି’। ସ୍ତ୍ରୀ କିଛି ବୁଝିବା ଆଗରୁ ସ୍ବାମୀଙ୍କ ଫୋନ୍ ବନ୍ଦ ହୋଇଗଲା। ଘାବରାଇ ଗଲେ ସ୍ତ୍ରୀ। ସେ ନିଜ ଭାଇଙ୍କୁ ଫୋନ୍ କରି ସ୍ବାମୀଙ୍କ ସମ୍ପର୍କରେ କହିଲେ। ଏହା ପରେ ଖୋଜାଖୋଜି ଆରମ୍ଭ ହୋଇଗଲା। ପରେ ବଶୀ ସେକ୍ଟର ୧୭ ରାସ୍ତା ଉପରେ ତାଙ୍କ ମୋଟରସାଇକେଲ, ଚାବି ଏବଂ ହେଲମେଟ ମିଳିଥିଲା। କିନ୍ତୁ ତାଙ୍କ ସମ୍ପର୍କରେ କିଛି ଖୋଜଖବର ମିଳି ନ ଥିଲା।
ଏସିପି ବିନାୟକ ବତ୍ସଙ୍କ କହିବା ଅନୁସାରେ, ଏହାକୁ ଆଧାର କରି ପୋଲିସ ଯାଞ୍ଚ ଆରମ୍ଭ କରିଥିଲା। ସିସିଟିଭି ଆଉ ମୋବାଇଲ ଲୋକେଶନ ଜାଣିବା ପାଇଁ ଚେଷ୍ଟା କରାଯାଇଥିଲା। ମାତ୍ର କୌଣସି ପତ୍ତା ମିଳି ନ ଥିଲା। ବ୍ୟକ୍ତି ଜଣକ ଏହି ରାସ୍ତାରେ ୧୦୦ ନମ୍ବରକୁ ୨ ଥର ଡାଏଲ ମଧ୍ୟ କରିଛନ୍ତି। ତେଣୁ ତାଙ୍କୁ କେହି ଲୁଟ୍ପାଟ୍ କିମ୍ବା ମାରି ଦେଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଥିଲା। ଏହି ଦିଗକୁ ନେଇ ମଧ୍ୟ ପୋଲିସ ତଦନ୍ତ ଆଗକୁ ବଢ଼ାଇଥିଲା। ଏହା ବ୍ୟତୀତ ପ୍ରେମସମ୍ପର୍କକୁ ମଧ୍ୟ ପୋଲିସ ସନ୍ଦେହ କରିଥିଲା। ଏଥିରୁ କିଛି ସୁରାକ ମିଳିଥିଲା। ତେଣୁ ତଦନ୍ତର ଦିଗ ବଦଳାଇଥିଲା। ମାସକ ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ ବ୍ୟକ୍ତିଜଣକ ଇନ୍ଦୋରରେ ଥିବା ଜାଣିବାକୁ ପାଇଥିଲା ପୋଲିସ। ବଶୀ ଥାନାର ବରିଷ୍ଠ ପୋଲିସ ନିରୀକ୍ଷକ ସଞ୍ଜୀବ ଧୂମାଲଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଇନ୍ଦୋରେ ପହଞ୍ଚିଥିଲା। ଆଉ ସେଠାରୁ ଏହି ବ୍ୟକ୍ତିଜଣଙ୍କୁ ପ୍ରେମିକାଙ୍କ ସହ ଠାବ କରାଯାଇଥିଲା।୧୫ ସେପ୍ଟେମ୍ବରରେ ପୋଲିସ ଏହି ମିଛୁଆ ରାଧୁଆଙ୍କୁ ଧରି ମୁମ୍ବାଇ ଆଣିଛି।