ମାରିଦେଲେ ସ୍ବାମୀ, ଶାଶୁଘର ଲୋକେ

କଣିହାଁ,୧୭।୫(ଡି.ଏନ.ଏ.) ବାପଘରୁ ୮୦ ହଜାର ଟଙ୍କା ନ ଆଣିବାରୁ କଣିହାଁ ଥାନା ବଡଗୁଣ୍ଡୁରୀ ଗ୍ରାମର ଦୀପ୍ତି ନାୟକ (୨୫)ଙ୍କୁ ତାଙ୍କ ସ୍ବାମୀ ଓ ଶାଶୁଘର ଲୋକେ ମାରିଦେଇଥିବା ଦୀପ୍ତିଙ୍କ ବାପଘର ପକ୍ଷରୁ ଅଭିଯୋଗ ହୋଇଛି। ଦୀପ୍ତିଙ୍କ ଭାଇ ପଦ୍ମଚରଣ ନାୟକଙ୍କ ଅଭିଯୋଗ ଆଧାରରେ କଣିହଁା ପୋଲିସ ଦୀପ୍ତିଙ୍କ ଝୁଲନ୍ତା ମୃତଦେହ ସୋମବାର ଜବତ କରିବା ସହ ନଂ. ୨୪/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀ ପ୍ରତାପ ସାହୁଙ୍କୁ ଅଟକ ରଖି ତଦନ୍ତ କରୁଛି।
ପୋଲିସ କହିଛି, ୭ବର୍ଷ ତଳେ କାକୁଡିଆ ଗ୍ରାମର କ୍ଷେତି ଚରଣ ନାୟକଙ୍କ ଝିଅ ଦୀପ୍ତି ନାୟକ ବଡଗୁଣ୍ଡୁରୀ ଗ୍ରାମର ପ୍ରତାପ ସାହୁଙ୍କୁ ବିବାହ କରିଥିଲେ। ବିବାହ ସମୟରେ ବାପଘର ପକ୍ଷରୁ ନଗଦ ୧ଲକ୍ଷ ଟଙ୍କା, ୨ଭରି ସୁନା ସହିତ ଅନ୍ୟାନ୍ୟ ଜିନିଷପତ୍ର ଯୌତୁକ ଆକାରରେ ଦିଆଯାଇଥିଲା। ତେବେ ପ୍ରତାପ କିଛିଦିନ ହେବ ଦୀପ୍ତିଙ୍କୁ ଆଉ ୮୦ ହଜାର ଟଙ୍କା ଆଣିବାକୁ କହି ନିର୍ଯାତନା ଦେଉଥିଲେ। ହେଲେ ରବିବାର ରାତିରେ ପ୍ରତାପ ତାଙ୍କ ଶାଳକ ପଦ୍ମଚରଣଙ୍କୁ ଫୋନ କରି ଦୀପ୍ତି ଶୌଚାଳୟରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ଦେଇଥିଲେ। ଏହାପରେ ଦୀପ୍ତିଙ୍କ ପରିବାର ଲୋକେ ବଡଗୁଣ୍ଡୁରୀରେ ପହଞ୍ଚିଥିଲେ। ତେବେ ଘଟଣା ସମ୍ପର୍କରେ ବାପଘର ଲୋକେ ପଚାରିବାରୁ ପ୍ରତାପ ଓ ଅନ୍ୟମାନେ ମିଶି ଆକ୍ରମଣ କରିଥିଲେ। ଏଥିରେ ଦୀପ୍ତିଙ୍କ ବାପା ଗୁରୁତର ହୋଇ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳରେ ତଦନ୍ତ କରିଛି।

Share