Categories: ଅପରାଧ

ଭିଣୋଇ-ସ୍ତ୍ରୀଙ୍କ ଅନୈତିକ ସମ୍ପର୍କରେ ବଳି ପଡ଼ିଲେ ସ୍ବାମୀ

ନୋଏଡ଼ା, ୨୧।୭: ସ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ଓ ସମ୍ପତ୍ତି ଲୋଭ କାରଣରୁ ଗ୍ରେଟର ନୋଏଡାର ଜଣେ ଯୁବକଙ୍କୁ ତାଙ୍କ ଭିଣୋଇ ହତ୍ୟା କରିଛନ୍ତି। ଏହି ଚାଞ୍ଚଲ୍ୟକର ଘଟଣାର ଫର୍ଦ୍ଦାଫାଶ କରି ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ ଜେଲ୍‌ ପଠାଇ ଦେଇଛି। ଘଟଣାଟି ଗ୍ରେଟର ନୋଏଡାର ଫଲେଦା ଗ୍ରାମରେ ଘଟିଛି। ଏହି ଗ୍ରାମର ପ୍ରବୀଣ ନାମକ ଜଣେ ଯୁବକଙ୍କ ଗଳିତ ଶବ ସ୍ଥାନୀୟ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ଏହାପରେ ପ୍ରବୀଣଙ୍କ ସ୍ତ୍ରୀ ଥାନାରେ ଏନେଇ ମାମଲା ଦାୟର କରିଥିଲେ। ଏହି ଘଟଣାରେ ପୋଲିସ ପ୍ରବୀଣଙ୍କ ଭିଣୋଇ ବଲ୍‌ବୀରଙ୍କୁ ସନ୍ଦେହରେ ଥାନାକୁ ନେଇ ପଚରା ଉଚରା କରିଥିଲା। ପ୍ରଥମେ ବଲ୍‌ବୀର କଥା ଲୁଚାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଶେଷରେ ୩ ଜଣ ସାଥୀଙ୍କ ସହ ମିଶି ପ୍ରବୀଣଙ୍କୁ ହତ୍ୟା କରିଥିବା ବଲ୍‌ବୀର ପୋଲିସ ଆଗରେ ସ୍ବୀକାର କରିଥିଲା। ଘଟଣାରୁ ଜଣାପଡ଼ିଛି ଯେ, ୪ ବର୍ଷ ତଳେ ପ୍ରବୀଣଙ୍କ ବିବାହ ହୋଇଥିଲା ଏବଂ ତାଙ୍କର କୌଣସି ପିଲାଛୁଆ ନ ଥିଲେ। ଯେଉଁ କାରଣରୁ ପ୍ରବୀଣ ଅଧିକାଂଶ ସମୟ ମଦ ପିଇ ସ୍ତ୍ରୀଙ୍କୁ ମାର୍‌ପିଟ୍‌ କରିଥାନ୍ତି। ପ୍ରବୀଣଙ୍କ ସ୍ତ୍ରୀ ଏହି ସମସ୍ୟା କଥା ବଲ୍‌ବୀରଙ୍କୁ ଜଣାଇଥିଲେ। ଏହାରି ସୁଯୋଗରେ ବଲ୍‌ବୀର ପ୍ରବୀଣଙ୍କ ସ୍ତ୍ରୀଙ୍କ ସହ ଅବୈଧ ସମ୍ପର୍କ ରଖିଥିଲେ। ସେହିଭଳି ପ୍ରବୀଣଙ୍କ ନାମରେ ରହିଥିବା କିଛି ଜମି ଉପରେ ମଧ୍ୟ ବଲ୍‌ବୀର ନଜର ପଡ଼ିଥିଲା। ଅବୈଧ ସମ୍ପର୍କ ଓ ସମ୍ପତ୍ତି ଲୋଭରେ ବଲ୍‌ବୀର ସବୁଦିନ ପାଇଁ ପ୍ରବୀଣଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ଏଥିପାଇଁ ସେ ନିଜର ୩ଜଣ ସହଯୋଗୀଙ୍କୁ ଏକ ଲକ୍ଷ ଟଙ୍କା ସୁପାରିସ ବଦଳରେ ପ୍ରବୀଣଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଶେଷରେ ଅଗ୍ରୀମ ଆକାରରେ ବଲ୍‌ବୀର ୬୦ ହଜାର ଟଙ୍କା ତାଙ୍କ ସହଯୋଗୀଙ୍କୁ ଦେଇଥିଲେ। ଏହାପରେ ଯୋଜନା ମୁତାବକ ପ୍ରବୀଣଙ୍କୁ ତାଙ୍କ ଫାର୍ମକୁ ନେଇ ପ୍ରଚୁର ମଦ ପିଆଇଥିଲେ। ଏବଂ ନିଶାରେ ଥିବା ଅବସ୍ଥାନରେ ପ୍ରବୀଣଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ପୋଲିସ ୩ ସୁପାରି କିଲର୍‌ଙ୍କ ସମେତ ବଲ୍‌ବୀର ଓ ପ୍ରବୀଣଙ୍କ ସ୍ତ୍ରୀଙ୍କୁ ଗିରଫ କରିଛି।