ଯୌତୁକରେ ବାଇକ୍‌ ନ ମିଳିବାରୁ ସ୍ତ୍ରୀଙ୍କୁ ଲଣ୍ଡା କଲେ ସ୍ବାମୀ

ବହରାଇଚ୍‌,୧୬।୭: କାହିଁ କେତେ କାଳରୁ ଯୌତୁକ ପ୍ରଥା ଚାଲିଆସିଛି। ଏହି କୁପ୍ରଥା ଯୋଗୁ ଅନେକ ଝିଅଙ୍କୁ ନିର୍ଯାତନା ସହ ଜୁଇର ନିଆଁରେ ଜଳୁଥିବାର ଦେଖିବାକୁ ମିଳେ। ଇତିମଧ୍ୟରେ ଉତ୍ତରପ୍ରଦେଶରୁ ଏକ ନିଆରା ନିର୍ଯାତନାର ଖବର ସାମ୍ନାକୁ ଆସିଛି। ଯୌତୁକରେ ବାଇକ୍‌ ନ ମିଳିବାରୁ ସ୍ବାମୀ ଜଣକ ସ୍ତ୍ରୀଙ୍କୁ ଲଣ୍ଡା କରିିଦେଇଥିବା ଜଣାପଡ଼ିଛି। ତେବେ ମହିଳାଙ୍କ ଅଭିଯୋଗକ୍ରମେ ପୋଲିସ ସ୍ବାମୀଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ନେପାଳରେ ରହୁଥିବା ଅମଜଦ ଅଲୀଙ୍କ ଝିଅ ବସିରୁନଙ୍କ ବିବାହ ୫ବର୍ଷ ପୂର୍ବରୁ ଉତ୍ତରପ୍ରଦେଶର ବହରାଇଚ୍‌ ଥାନା ମଟେରା ଅଞ୍ଚଳର ସାଜିଦ ସାଇଙ୍କ ସହ ହୋଇଥିଲା। ବିବାହ ସମୟରେ ଯୌତୁକରେ ସାଜିଦ ଏକ ବାଇକ ଓ ଲକ୍ଷେ ଟଙ୍କା ଦାବି କରିଥିଲେ। ତେବେ ତାଙ୍କ ଦାବି ପୂରଣ ନ ହେବାରୁ ବିବାହ ଆରମ୍ଭରୁ ସାଜିଦ ବସିରୁନଙ୍କୁ ନିର୍ଯାତନା ଦେଇଆସୁଥିଲେ ବୋଲି ବାପା ଅମଜଦ ଅଭିଯୋଗ କରିଛନ୍ତି। ନିର୍ଯାତନା ଯୋଗୁ ଅନେକ ଥର ବସିରୁନ ଘର ଛାଡ଼ି ବାପଘରକୁ ପଳାଇ ଆସିଥିବା ବେଳେ ତାଙ୍କୁ ବୁଝାସୁଝା କରି ଝିଅକୁ ପୁଣି ଶାଶୁଘରେ ଛାଡ଼ୁଥିଲେ ଅମଜଦ। କିନ୍ତୁ ଚଳିତ ଥର ଅମାନବିକତାର ସମସ୍ତ ସୀମା ପାର ହୋଇଗଲା ବୋଲି ବସିରୁନଙ୍କ ବାପା କହିଛନ୍ତି। ସାଜିଦ ବସିରୁନଙ୍କୁ ମାଡ଼ ମାରିବା ସହ ତାଙ୍କୁ ଲଣ୍ଡା କରିଦେଇଥିଲେ। ଏନେଇ ବସିରୁନ ସାଜିଦଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଏହାପରେ ସ୍ଥାନୀୟ ପୋଲିସ ସ୍ବାମୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Share