Categories: ଜାତୀୟ

ସ୍ତ୍ରୀଙ୍କୁ ବୁଝାଇବା ପାଇଁ ଶ୍ୱଶୁର ଘର ଆଗରେ ୩୧ ଘଣ୍ଟା ଧାରଣାରେ ବସିଲେ ସ୍ବାମୀ: ଆଉ ତା’ପରେ

ଆଗ୍ରା,୨୪।୫: ଉତ୍ତର ପ୍ରଦେଶର ଆଗ୍ରାରେ ସ୍ବାମୀ-ସ୍ତ୍ରୀ କଳିର ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କୁ ବୁଝାଇବା ପାଇଁ ଶ୍ୱଶୁର ଘର ଆଗରେ ୩୧ ଘଣ୍ଟା ଧାରଣାରେ ବସିଥିଲେ ସ୍ବାମୀ। କିନ୍ତୁ ସ୍ତ୍ରୀ ଘର ବାହାରକୁ ଆସି ନ ଥିଲେ କି କବାଟ ମଧ୍ୟ ଖୋଲି ନ ଥିଲେ। ରାଜସ୍ଥାନର ବୈଷ୍ଣବ ନଗର ନିବାସୀ ଅବିନାଶ ବର୍ମା ସୁଲହକୁଲ ନଗରର ଜଣେ ଯୁବତୀଙ୍କୁ ୨୦୧୫,ମେ ୨ରେ ବିବାହ କରିଥିଲେ। ଅବିନାଶ ଜଣେ ଆକାଉଣ୍ଟାଣ୍ଟ ଥିଲେ। ତାଙ୍କ ପିତା ଜଣେ ଅବସରପ୍ରାପ୍ତ ନାଏବ ତହସିଲଦାର। ଅବିନାଶଙ୍କ ଅନୁଯାୟୀ, ପ୍ରଥମ ବିବାହ ବାର୍ଷିକୀରେ ସ୍ତ୍ରୀ ବିୟୁଟି ପାର୍ଲରକୁ ଯିବାକୁ କହି ଘରୁ ବାହାରି ଆସିଥିଲେ। ଏହା ପରେ ସେ ଆଉ ଫେରି ନଥିଲେ। ସେ ତାଙ୍କ ସ୍ତ୍ରୀଙ୍କୁ ଫୋନ କଲେ। କିଛି ସମୟ ପରେ ଫେରି ବୋଲି ସେ କହିଲେ। ଅନେକ ଘଣ୍ଟା ପରେ ସେ ଆଉ ଘରକୁ ନ ଫେରି ନିଜ ବାପଘରକୁ ପଳାଇଥିଲେ।
ସ୍ତ୍ରୀ ଅବିନାଶଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ଦାୟର କରିଛନ୍ତି। ଅବିନାଶଙ୍କୁ ତାଙ୍କ ପିତାମାତା ସମ୍ପତ୍ତିରୁ ବାହାର କରି ଦେଇଛନ୍ତି। ସେ ତାଙ୍କର ଚାକିରି ହରାଇଛନ୍ତି ବୋଲି ସ୍ତ୍ରୀ କହିଛନ୍ତି। ସେପଟେ ଅବିନାଶ କହିଛନ୍ତି ସ୍ତ୍ରୀ ଫୋନରେ କଥା ହୁଅନ୍ତି। କିନ୍ତୁ, ସେ ଘରକୁ ଆସିବାକୁ ପ୍ରସ୍ତୁତ ନୁହଁନ୍ତି। ଗତ ଶନିବାର ସେ ଫୋନ୍‌ ନ ଉଠାଇବାରୁ ଅବିନାଶ ଶ୍ୱଶୁର ଘର ବାହାରେ ଧାରଣାରେ ବସିଥିଲେ। ପ୍ରାୟ ୩୧ ଘଣ୍ଟା ବସିବା ପରେ ମଧ୍ୟ ତାଙ୍କ ସ୍ତ୍ରୀ କି ଶ୍ୱଶୁରଘର ଲୋକେ ବାହାରକୁ ଆସି ନ ଥିଲେ। ପଡୋଶୀ ଘର ଅବିନାଶଙ୍କୁ ବସିବା ପାଇଁ ଚେୟାର ଦେଇଥିଲେ। ସେ ଅନଲାଇନ୍‌ରେ ଖାଦ୍ୟ ମଗାଇ ଖାଇଥିଲେ। ଅବିନାଶ କହିଛନ୍ତି ଯେ, ସେ ସ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛନ୍ତି କି ସେ ଏକାଠି ରହିବାକୁ ଚାହୁଁଛନ୍ତି କି ଅଲଗା ତାହା ସ୍ପଷ୍ଟ ଭାବରେ କୁହନ୍ତୁ।

Share