ରୋଗଗ୍ରସ୍ତ ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ଆଖିବୁଜିଦେଲେ ସ୍ବାମୀ

କଣ୍ଟାବାଞ୍ଜି,୧୫।୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଦାବିରି ଗାଁର  ଉଭୟେ ସ୍ତ୍ରୀସ୍ବାମୀଙ୍କ ଗୋଟିଏ ଦିନରେ ଆତ୍ମହତ୍ୟା ଘଟଣା ପୂରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।
ସୂଚନାନୁସାରେ,   ଉକ୍ତ ଗାଁର ଗୋଧନ ମଲ୍ଲିକ (୪୫) ଓ ତାଙ୍କ ସ୍ତ୍ରୀ ଚନ୍ଦ୍ରକଳା ମଲ୍ଲିକ (୪୦) ଉଭୟେ ରବିବାର ରାତିରେ  ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଗୋଧନ  ୬ ବର୍ଷ ତଳେ ବେଲପଡ଼ା ଥାନା ଫୁଲକାନି ଗାଁର ସାବିତ୍ରୀଙ୍କୁ ବିବାହ କରିଥିଲେ ା ତାଙ୍କ ମୃତ୍ୟୁ ପରେ  ଚନ୍ଦ୍ରକଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଚନ୍ଦ୍ରକଳା ସିକ୍ଲିନ(ରକ୍ତହୀନତା) ରୋଗରେ ଦୀର୍ଘ ବର୍ଷରୁ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଗୋଧନ ଜଣେ ଦିନ ମଜୁରିଆ ଏବଂ ପଥର ଖାଦାନରେ କାମ କରି ଯାହା ରୋଜଗାର ହୁଏ ସେଥିରେ  ପରିବାର ଭରଣପୋଷଣ କରି ଆସୁଥିଲେ। ସ୍ତ୍ରୀ ଚନ୍ଦ୍ରକଳାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିବାରୁ ସ୍ତ୍ରୀ କଷ୍ଟ ସହି ନ ପାରି ରବିବାର ରାତିରେ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଗୋଧନ ଗାଁଠାରୁ ୩ କି.ମି. ଦୂର ଟାଣପଡ଼ା ନିକଟ ପୁସ୍ତମ ମଲ୍ଲିକଙ୍କ ଚାଷଜମିରେ ଥିବା ଏକ ଗଛରେ  ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।
ଖବରପାଇ କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ବଲାଙ୍ଗୀରରୁ ସାଇଣ୍ଟଫିକ୍‌ ଟିମ୍‌ ଆସିଲା ପରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।
Share