ହନୁମାନଗଡ଼, ୨୩।୮: ରାଜସ୍ଥାନର ହନୁମାନଗଡ଼ ଜିଲାରେ ଜଣେ ମହିଳାଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଛି। ତେବେ ସ୍ଥାନୀୟ ପୋଲିସ ଅଭିଯୋଗ କରିବାର ୮ ଦିନ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ମହିଳାଙ୍କ ସ୍ବାମୀ ନିରାଶ ହୋଇ ଶେଷରେ ସ୍ତ୍ରୀଙ୍କୁ ଖୋଜିବା ଲାଗି ଏସ୍ପି ଓ ଜିଲାପାଳଙ୍କ ନିକଟରେ ନେହୁରା ହେବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେ ଚାଲି ଚାଲି ୯୦ କିମି ଦୂର ଜିଲା ମୁଖ୍ୟାଳୟରେ ପହଞ୍ଚିଛନ୍ତି। କିନ୍ତୁ ଶନିବାର ଓ ରବିବାରଲକ୍ ଡାଉନ୍ ଲାଗି ସେ ହନୁମାନଗଡ଼ ଜିଲାପାଳ ଜାକିର ହୁସେନ ଓ ଏସ୍ପି ରାସି ଡୋଗ୍ରାଙ୍କୁ ଭେଟିପାରି ନ ଥିଲେ। ଏହାପରେ ମହିଳାଙ୍କ ସ୍ବାମୀ ଗ୍ରାମକୁ ଫେରି ଆସି ସ୍ଥାନୀୟ ଥାନା ସାମ୍ନାରେ ଆମରଣ ଅନଶନ ଜାରି ରଖିଛନ୍ତି। ମହିଳାଙ୍କ ସ୍ବାମୀ କହିଛନ୍ତି, ଗତ ୧୪ ତାରିଖରେ ତାଙ୍କ ସ୍ତ୍ରୀଙ୍କୁ ଗୋଲ୍ଡି ନାମକ ଜଣେ ଯୁବକ ବନ୍ଧୁକ ମୁନରେ ଅପହରଣ କରିନେଇଛି। ଏହାପରେ ସେ ସ୍ଥାନୀୟ ନୋହର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଘଟଣାର ୮ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଯେତେଦିନ ପର୍ଯ୍ୟନ୍ତ ସ୍ତ୍ରୀଙ୍କ ସନ୍ଧାନ ନ ମିଳିଛି ଖାଦ୍ୟ ଗ୍ରହଣ କରିବେ ନାହିଁ ବୋଲି ଯୁବକଜଣଙ୍କ କହିଛନ୍ତି।