Categories: ଜାତୀୟ

ସ୍ବାମୀ ଚାହୁଁଥିଲେ ଛାଡପତ୍ର, ସ୍ତ୍ରୀ କହିଲେ ମୁଁ ଛାଡପତ୍ର ପରେ ମରିବାକୁ ଚାହୁଁନାହିଁ ଜଜ୍‌ ସାହେବ,ଆବେଦନ ଖାରଜ…

ନୂଆଦିଲ୍ଲୀ,୧୨।୧୦ : ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଉଭୟ ସ୍ବାମୀ-ସ୍ତ୍ରୀ ଏକ ଆଇନଗତ ଲଢ଼େଇ ଲଢୁଥିଲେ। ପୂର୍ବତନ ବାୟୁସେନା ଅଧିକାରୀ ତାଙ୍କ ସ୍ତ୍ରୀଙ୍କଠାରୁ ଛାଡପତ୍ର ଚାହୁଁଥିଲେ। ବର୍ତ୍ତମାନ ତାଙ୍କର ବୟସ ୮୯ବର୍ଷ । ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସ୍ତ୍ରୀଙ୍କୁ ମଧ୍ୟ ୮୨ବର୍ଷ ହୋଇଛି। ଯେତେବେଳେ ସୁପ୍ରିମକୋର୍ଟରେ ବିତର୍କ ଆରମ୍ଭ ହେଲା, ସ୍ତ୍ରୀ ବିଚାରପତିଙ୍କୁ ତାଙ୍କର ହୃଦୟ ଇଚ୍ଛା ପ୍ରକାଶ କରିଥିଲେ, ସେ ଛାଡପତ୍ର ପରେ ମରିବାକୁ ଚାହୁଁନାହାଁନ୍ତି। ତାଙ୍କ ଭାବନାକୁ ସମ୍ମାନ ଜଣାଇ ସୁପ୍ରିମକୋର୍ଟ ସ୍ବାମୀଙ୍କ ଆବେଦନକୁ ଖାରଜ କରିଛନ୍ତି।

 

ଏହି ଦମ୍ପତି ଚଣ୍ଡିଗଡ଼ରେ ରୁହନ୍ତି। ସେମାନଙ୍କ ବିବାହକୁ ୬୦ ବର୍ଷ ବିତିଗଲାଣି। ସେମାନେ ୧୯୬୩ରେ ବିବାହ କରିଥିଲେ। ଜାନୁଆରୀ ୧୯୮୪ରେ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ମାଡ୍ରାସକୁ ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ସେମାନଙ୍କ ଦାମ୍ପତ୍ୟ ଜୀବନରେ ସବୁକିଛି ସ୍ବାଭାବିକ ଚାଲିଥିଲା। ଯେତେବେଳେ ତାଙ୍କ ସ୍ତ୍ରୀ ତାଙ୍କ ସାଙ୍ଗ ଯିବାକୁ ଅମଙ୍ଗ ହେଲେ ସେମାନଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା । ପ୍ରଥମେ ସେ ତାଙ୍କ ଶାଶଘର ଲୋକମାନଙ୍କ ସହିତ, ପରେ ପୁଅ ସହିତ ରହିବାକୁ ପସନ୍ଦ କଲେ ।

ଅନେକ ଉଦ୍ୟମ ସତ୍ତ୍ୱେ ମତଭେଦ ଏବଂ ବିବାଦର ସମାଧାନ ହୋଇପାରିଲା ନାହିଁ। ଶେଷରେ ସ୍ବାମୀ ୧୯୯୬ ରେ ସ୍ତ୍ରୀଙ୍କ ବିରୋଧରେ ଛାଡପତ୍ର ଆବେଦନ କରିଥିଲେ। ସ୍ତ୍ରୀ ଶିକ୍ଷକତା କରୁଥିଲେ। ପରେ ସେ ଅବସର ଗ୍ରହଣ କରିଥିଲେ। ନିମ୍ନ ଅଦାଲତରୁ ଏହି ମାମଲା ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏବଂ ଶେଷରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଆଇନଗତ ପ୍ରକ୍ରିୟା ୨୩ବର୍ଷ ନେଇଥିଲା।

ପ୍ରକୃତରେ ସ୍ବାମୀ ସ୍ତ୍ରୀଙ୍କର କ୍ରୁରତାର ଅଭିଯୋଗ ପ୍ରମାଣ କରିବାରେ ବିଫଳ ହୋଇଥିଲେ। ସେ ପ୍ରମାଣ କରି ପାରିଲେ ନାହିଁ ତାଙ୍କସ୍ତ୍ରୀ ତାଙ୍କୁ ଛାଡିଛନ୍ତି। ବିବାହ ସମ୍ପୂୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ଛାଡପତ୍ର ମଞ୍ଜୁର କରିବାକୁ ସମ୍ବିଧାନର ଧାରା ୧୪୨ଅନୁଯାୟୀ ଏକ ନିର୍ଦ୍ଦେଶ ଜାରି କରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ। ତେବେ ଛାଡପତ୍ରର କଳଙ୍କ’ସହିତ ସେ ଦୁନିଆ ଛାଡିବାକୁ ଚାହୁଁ ନ ଥିବା ସ୍ତ୍ରୀ କହିଥିଲେ।

 

 

Share