ଝାରସୁଗୁଡ଼ା ଅଫିସ୍,୯ା୧୨: ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ବନହରପାଲି ଥାନା ପୋଲିସ ଅଭିଯୁକ୍ତ ସ୍ବାମୀ ଶ୍ୟାମଲାଲ୍ ଓରାମ(୪୭)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସ୍ତ୍ରୀ ବାସନ୍ତି ଓରାମଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୨୭୪/୨୨) ରୁଜୁକରି ତଦନ୍ତ ଚଳାଇଛି।
ସୂଚନା ମୁତାବକ, ସହରାଇପଡାର ଶ୍ୟାମଲାଲ୍ ତାଳପଟିଆ ଗ୍ରାମର ବାସନ୍ତୀଙ୍କୁ ବିବାହ କରିଥିଲେ। ବାସନ୍ତୀ ଶ୍ୟାମଲାଲ୍ଙ୍କ ଦ୍ୱିତୀୟ ସ୍ତ୍ରୀ ହୋଇଥିବା ବେଳେ ତାଙ୍କର ୨ ସନ୍ତାନ ରହିଛନ୍ତି। ଏଭଳି ପରିସ୍ଥିତିରେ ଶ୍ୟାମଲାଲ୍ ସ୍ତ୍ରୀଙ୍କ ଉପରେ ସନ୍ଦେହ କରି ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଗତ ୪ତାରିଖରେ ସ୍ତ୍ରୀ ଶୋଇଥିବା ବେଳେ ସ୍ବାମୀ ତାଙ୍କ ଗଳାଚିପି ମାରିଦେବା ପାଇଁ ଉଦ୍ୟମ କରିଥିଲେ। ଏଥିରେ ଭୟଭୀତ ହୋଇ ମହିଳା ଜଣକ ତାଙ୍କ ଭଉଣୀ ଘର ଛର୍ଲା ଗ୍ରାମକୁ ଚାଲିଯାଇଥିଲେ। ପରେ ସେ ଗତ ୫ତାରିଖରେ ଥାନାରେ ସ୍ବାମୀଙ୍କ ନାମରେ ଅଭିଯୋଗ କରିଥିଲେ।