ପ୍ଲାଷ୍ଟିକ ଦଉଡ଼ିରେ ସ୍ତ୍ରୀଙ୍କ ବେକ ଚିପିଥିଲେ ସ୍ବାମୀ: ଏବେ ଆଜୀବନ ଜେଲ

ଭଦ୍ରକ ଅଫିସ, ୨୪ା୩: ଭଦ୍ରକର ଅତିରିକ୍ତ ଜିଲା ତଥା ଦୌରାଜଜ୍‌ ଆଶିଷ କୁମାର ତ୍ରିପାଠୀ ଶୁକ୍ରବାର ଜଣେ ସ୍ତ୍ରୀଙ୍କ ହତ୍ୟା ମାମଲାର ଶୁଣାଣି କରିଛନ୍ତି। ଏହି ମାଲାର ବିଚାର କରି ଦୋଷୀ ସ୍ବାମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇ ଛନ୍ତି। ଦୋଷୀ ସ୍ବାମୀ ହେଲେ ବାଂଶଡ଼ା ଥାନା ଅଧୀନ କେସରପୁର ଗ୍ରାମର କୈଳାସ ବାରିକ(୩୮)। ତାଙ୍କୁ ଆଜୀବନ ଜେଲ ସହ ୫ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, ଚାନ୍ଦବାଲି ଥାନା ଅଧୀନ ରଘୁନାଥଜୀଉ ଗ୍ରାମର ଫକୀର ଚରଣ ବାରିକଙ୍କ ଝିଅ ଗୌରୀଲତାଙ୍କୁ ୨୦୧୪ ଅକ୍ଟୋବରରେ କୈଳାସ ବିବାହ କରିଥିଲେ। ବିବାହ ସମୟରେ ନଗଦ ୫୦ ହଜାର ଟଙ୍କା ସହ ସମସ୍ତ ଘରକରଣା ଜିନିଷ ଓ ଗହଣା ଯୌତୁକ ଦିଆଯାଇଥିଲା। ମାତ୍ର ୮ ମାସ ପରେ ଅଧିକ ଯୌତୁକ ଦାବି କରି ସେ ଗୌରୀଲତାଙ୍କୁ ନିର୍ଯାତନା ଦେଇଥିଲେ। ୨୦୧୫ ଏପ୍ରିଲ ୯ ରାତିରେ ଗୌରୀଲତା ଶୋଇଥିବା ବେଳେ କୈଳାସ ମାଡ଼ ମାରି ଏକ ପ୍ଲାଷ୍ଟିକ ଦଉଡ଼ିରେ ତାଙ୍କ ବେକକୁ ଚାପି ଜୀବନରୁ ମାରି ଦେଇଥିଲେ। ପରେ ତାଙ୍କୁ ତିହିଡ଼ି ଡାକ୍ତରଖାନାକୁ ନେଇଥିଲେ। ଗୌରୀଲତାଙ୍କ ବାପା ତାଙ୍କ ଝିଅକୁୁ ହତ୍ୟା କରାଯାଇଥିବା ନେଇ ଚାନ୍ଦବାଲି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା (ନଂ.୬୮/୨୨) ରୁଜୁ କରି କୈଳାସଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଥିଲା। ସେବେଠାରୁ ସେ ବିଚାରାଧୀନ ବନ୍ଦୀ ଭାବେ ଜେଲରେ ଥିଲେ।