ବୁଗୁଡା,୪।୭(ଡି.ଏନ୍.ଏ): ଗଞ୍ଜାମ ଜିଲା ବୁଗୁଡା ବ୍ଳକ ଅନ୍ତର୍ଗତ ଗୌଡିଆବୋରଦା ପଞ୍ଚାୟତ ଅନ୍ତର୍ଗତ କାନସୁକା ଗ୍ରାମର ଗୋଟିଏ ପରିବାରର ସ୍ବାମୀ ଓ ସ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ବୁଗୁଡା ଥାନାର ପୁଣି ୧୬ ପୋଲିସ କର୍ମଚାରୀ (ଓଏସ୍ଏପି) କରୋନାରେ ଆକ୍ରାନ୍ତ ହୋଇ ଥିବା ଜଣାପଡିଛି। ପୂର୍ବରୁ ଉକ୍ତ ଥାନାର ୬ଜଣ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ଏହା ୨୨କୁ ବୃଦ୍ଧି ପାଇଛି। ସେମାନଙ୍କୁ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ପଠାଯାଇଛି ବୋଲି ବିଡିଓ ସୂଚନା ଦେଇଛନ୍ତି। ବୁଗୁଡାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହା ଗୋଷ୍ଠୀ ସଂକ୍ରମଣ ରୂପ ନେବାର ଆଶଙ୍କା ସୃଷ୍ଟି ହୋଇଛି। ଏହାର ପ୍ରତିକାର ନିମନ୍ତେ ବୁଗୁଡାରେ ଶଟ୍ଡାଉନ କରିବାର ଏକ ମାତ୍ର ଉପାୟ ବୋଲି କୁହାଯାଉଛି।
ଏନେଇ ଶୁକ୍ରବାର ସ୍ଥାନୀୟ ଡାକ ବଙ୍ଗଳାରେ ବିଡିଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ତହସିଲଦାର ସଂଗ୍ରାମ କେଶରୀ ଜେନା, ଥାନା ଆଇଆଇସି, ଏନ୍ଏସି ନିର୍ବାହୀ ଅଧିକାରୀ, ବୁଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ, ସିଡିପିଙ୍କ ସମେତ ସାମ୍ବାଦିକ, ଓକିଲ, ଏବଂ ବିଭିନ୍ନ ବ୍ୟବସାୟୀ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥାଇ ନିଜର ମତ ପ୍ରକାଶ କରିଥିଲେ। ଶେଷରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବୈଠକରେ ଆସନ୍ତା ମଙ୍ଗଳବାରରୁ ପରବର୍ତ୍ତୀ ମଙ୍ଗଳବାର ରାତି ପର୍ଯ୍ୟନ୍ତ ଅର୍ଥାତ୍ ୮ଦିନ ଧରି ବୁଗୁଡାରେ ଶଟ୍ଡାଉନ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ମୁତାବକ ବୁଗୁଡାରେ ଲୋକେ କୋଭିଡ ନିଯମ ମାନୁ ନ ଥିବା ଅଭିଯୋଗ ହୋଇଛି।