Categories: ଜାତୀୟ

ସ୍ବାମୀମାନେ ଜେଲ୍‌ରେ, ନିର୍ବାଚନ ମଇଦାନକୁ ଓହ୍ଲାଇବେ ସ୍ତ୍ରୀ, ଜାଣନ୍ତୁ କିଏ ଏହି ତାଲିକାରେ…

ନୂଆଦିଲ୍ଲୀ,୨୪ା୩: ଦେଶର ହାଇ ଭୋଲଟେଜ୍‌ ନେତାମାନେ ଜେଲ୍‌ ଯିବା ପରେ ସ୍ତ୍ରୀମାନେ ରାଜନୈତିକ ମଇଦାନକୁ ଓହ୍ଲାଇବା ଯଦିଓ ନୂଆ କଥା ନୁହେଁ, ତେବେ ୨୦୨୪ ଲୋକ ସଭା ନିର୍ବାଚନରେ ଅନେକ ରାଜନେତାଙ୍କ ସ୍ତ୍ରୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ପ୍ରସ୍ତୁତି ଚଳାଇଛନ୍ତି।

ଏମାନଙ୍କ ମଧ୍ୟରେ ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସ୍ତ୍ରୀ ସୁନୀତା, ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ଏବଂ ଧନଞ୍ଜୟ ସିଂଙ୍କ ପତ୍ନୀ ଶ୍ରୀକଳା ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି।

ତେବେ ତାଙ୍କ ସ୍ତ୍ରୀ ସୁନୀତା ଦଳ ପାଇଁ ପ୍ରଚାର କରିବେ। ଗତଥର ମଧ୍ୟ ସୁନୀତା ସ୍ବାମୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଗିରଫ ପରେ କୋର୍ଟ ଅରବିନ୍ଦଙ୍କୁ ୬ ଦିନ ହେପାଜତକୁ ପଠାଇ ଦେଇଛନ୍ତି।

ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଡି ହେପାଜତରେ ଥିବା ବେଳେ ତାଙ୍କୁ ରାଞ୍ଚି ଜେଲ୍‌ରେ ରଖାଯାଇଛି। ହେମନ୍ତ ଜେଲ ଯିବା ପରେ ସ୍ତ୍ରୀ କଳ୍ପନା ରାଜନୀତିରେ ବେଶ୍‌ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏଥର ସେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ରାଜନୈତିଜ୍ଞମାନେ କହିଛନ୍ତି।

ସେହିପରି ଧନଞ୍ଜୟ ଜେଲ ଯିବା ଏବଂ ଦଣ୍ଡିତ ହେବାରୁ ତାଙ୍କ ସ୍ତ୍ରୀ ଶ୍ରୀକଳା ରେଡ୍ଡୀ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି।

Share