ଜେଲ୍‌ ଗଲେ ଶୁଭ୍ରା, ପ୍ରମାଣ ଯୋଗାଡ଼ରେ ସିବିଆଇ

ଭୁବନେଶ୍ୱର,୨୩।୧(ବ୍ୟୁରୋ): ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଗିରଫ ହୋଇଥିବା ସଂସ୍ଥାର ଚେୟାରମ୍ୟାନ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଶୁଭ୍ରା କୁଣ୍ଡୁଙ୍କ ୫ ଦିନିଆ ରିମାଣ୍ଡ ଅବଧି ଶୁକ୍ରବାର ଶେଷ ହୋଇଛି। ସିବିଆଇ ଅପରାହ୍ନରେ ତାଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଶୁଭ୍ରାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେ ଏବେ ଝାରପଡା ସ୍ବତନ୍ତ୍ର କାରାଗାରରେ ରହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଶୁକ୍ରବାର ହେବ। ତଦନ୍ତ ସମ୍ପର୍କିତ କୌଣସି ତଥ୍ୟ ଗଣମାଧ୍ୟମକୁ ଦିଆଯାଇ ନ ଥିଲେ ମଧ୍ୟ ଜେରାବେଳେ ମିଳିଥିବା ତଥ୍ୟକୁ ଆଧାର କରି ଅଧିକ ପ୍ରମାଣ ଯୋଗାଡ଼ କରିବାରେ ଲାଗି ପଡ଼ିଛି ସିବିଆଇ। ଗତ ୧୫ ତାରିଖରେ ସିବିଆଇ ଶୁଭ୍ରାଙ୍କୁ କୋଲକାତାରୁ ଗିରଫ କରିବା ପରେ ଓଡ଼ିଶା ଆଣି ୫ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇଥିଲା। ଏହା ମଧ୍ୟରେ ତାଙ୍କୁ କୋଲକାତା ସହ ଓଡ଼ିଶାର କିଛି ସ୍ଥାନକୁ ନେଇ ଜମାକରୀଙ୍କ ଅର୍ଥ ଠକେଇ ସମ୍ପର୍କରେ ପଚରାଉଚରା କରିଥିତ୍ଲା। ଏହି ଠକେଇରେ ଓଡ଼ିଶାର କେତେଜଣ ରାଜନେତା, ବ୍ୟବସାୟୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା ସିବିଆଇ ହାତରେ ତଥ୍ୟ ଲାଗିଛି। ସେମାନଙ୍କୁ ନୋଟିସ ଜାରି କରାଯିବ ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଦୀର୍ଘବର୍ଷ ପରେ ହଠାତ୍‌ ସିବିଆଇର ଖୋଳତାଡ଼କୁ ନେଇ ମଧ୍ୟ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଗକୁ ପଶ୍ଚିମବଙ୍ଗ ନିର୍ବାଚନ ରହିଥିବାରୁ କେନ୍ଦ୍ର ସିବିଆଇକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା କୁହାଯାଉଛି। ୨୦୧୩ରୁ ପ୍ରଥମେ ପଶ୍ଚିମବଙ୍ଗ, ବିହାର, ଆସାମ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ସମେତ ଓଡ଼ିଶାରେ ରୋଜ୍‌ଭ୍ୟାଲି ନିଜର କାରବାର ଆରମ୍ଭ କରିଥିଲା। ଦେଶରୁ ପ୍ରାୟ ୧୭ ହଜାର ୫୨୦ କୋଟିର ଟଙ୍କା ଠକେଇ କରିଥିବା ଜଣାପଡିଥିଲା। ତେବେ ସୁନା ବ୍ୟବସାୟ ଓ ଚିଟ୍‌ଫଣ୍ଡ୍‌ ସ୍କାମ୍‌ରେ ସଂସ୍ଥା କେବଳ ଓଡ଼ିଶାରୁ ୫୦୦ କୋଟିରୁ ଅଧିକ ଟଙ୍କା ଠକେଇ କରିଥିଲା। ୨୦୧୫ରେ ସଂସ୍ଥାର ଚେୟାରମ୍ୟାନ ଗୌତମଙ୍କୁ ସିବିଆଇ ଗିରଫ କରିଥିଲା। ୨୦୧୯ରେ ଓଡ଼ିଶାର ଦୁଇ ବିଜେଡି ବିଧାୟକଙ୍କୁ ନୋଟିସ ଜାରି ହୋଇଥିଲା।

Share