Categories: ଖେଳ

ପୁଣି ଥରେ ବଦଳିପାରେ ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ, ଜାଣନ୍ତୁ ଏଥର କ’ଣ ରହିଛି କାରଣ…

ନୂଆଦିଲ୍ଲୀ,୨୦।୮: ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ୍‌ ୨୦୨୩ର କାର୍ଯ୍ୟସୂଚୀ ପୁଣି ପରିବର୍ତ୍ତନ ହୋଇପାରେ। ମ୍ୟାଚ୍‌ରେ ପରିବର୍ତ୍ତନ ନେଇ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ ପକ୍ଷରୁ ବିସିସିଆଇକୁ ଅନୁରୋଧ ମିଳିଛି। ସ୍ଥାନୀୟ ପୋଲିସ ପୂର୍ବ ଚାମ୍ପିୟନ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ମ୍ୟାଚ୍‌ ସହ ବ୍ୟାକ୍‌ ଟୁ ବ୍ୟାକ୍‌ ମ୍ୟାଚ୍‌ର ଆୟୋଜନକୁ ନେଇ ଚିନ୍ତା ପ୍ରକଟ କରିବା ପରେ ଏଭଳି ଅନୁରୋଧ କରାଯାଇଛି।

ତେବେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅକ୍ଟୋବର ୯ରେ ନ୍ୟୁଜିଲାଣ୍ଡ ବନାମ ନେଦରଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ। ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ ୩ ମ୍ୟାଚ୍‌ ଆୟୋଜନ କରିବ। ହେଲେ ସୁରକ୍ଷା ସମ୍ବନ୍ଧୀତ ଅସୁବିଧାର ସମ୍ମୁଖୀନ ହେବା ଆଶଙ୍କାରେ ଅକ୍ଟୋବର ୧୨ରେ ହେବାକୁ ଥିବା ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚ୍‌କୁ ଆଗକୁ ବଢ଼ାଇ ଅକ୍ଟୋବର ୧୦ରେ କରାଯାଇଛି। ହେଲେ ଆସୋସିଏଶନ ଦୁଇ ମ୍ୟାଚ୍‌ ମଧ୍ୟରେ ଅଧିକ ଦିନ ସୁନିଶ୍ଚିତ କରିବା ଲାଗି କାର୍ଯ୍ୟକ୍ରମରେ ପରିବର୍ତ୍ତନ ଲାଗି ଆଧିକାରିକ ଅନୁରୋଧ କରିଛି। ପଛକୁ ପଛ ମ୍ୟାଚ୍‌ ଥିବାରୁ ପାକିସ୍ତାନ ଟିମ୍‌କୁ ସୁରକ୍ଷା ପ୍ରଦାନ କରିବା ସହଜ ନୁହେଁ। କାରଣ ଷ୍ଟାଡିୟମ ସହ ଦଳ ରହୁଥିବା ହୋଟେଲରେ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରିବାର ଆବଶ୍ୟକତା ରହିଛି ବୋଲି ଆସୋସିଏଶନ ଦର୍ଶାଇଛି।

ପୂର୍ବରୁ ବିସିସିଆଇ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରି ସମାଲୋଚିତ ହୋଇଥିଲା। ଏମିତିରେ ଏଚ୍‌ସିଏର ଏଭଳି ଅନୁରୋଧ ଉପରେ ବିସିସିଆଇ କିଭଳି ପଦକ୍ଷେପ ନେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି।

Share