ରାଇସ୍ ଏଟିଏମ୍ ଖୋଲି ଗରିବଙ୍କ ପେଟକୁ ଦାନା ଯୋଗାଉଛନ୍ତି ଯୁବକ

ହାଇଦ୍ରାବାଦ,୧ ।୧୦: କରୋନା ଭାଇରସ ମହାମାରୀ ଅନେକଙ୍କ ଜୀବନ ଜୀବିକାକୁ ବଦଳାଇ ଦେଇଛି । ଅନେକ ଲୋକ ଏହି ସମୟରେ ରାଜଗାର ହରାଇଥିବା ବେଳେ ପେଟକୁ ଦୁଇବେଳା ଦାନା ଯୋଗାଡ କରିବାକୁ ବହୁ କଷ୍ଟ କରୁଛନ୍ତି । ଏହି ସମୟରେ ଖାଦ୍ୟ ପାନୀୟର ସଙ୍କଟ ଅନେକଙ୍କୁ ଛୋଟ ମୋଟ ବ୍ୟବସାୟ କରିବାକୁ ବାଧ୍ୟ କରିଛି । ହେଲେ ଏହି ସମୟରେ ବେସାହାର ଲୋକଙ୍କୁ ସାହାଯ୍ୟର ହାତ ବି ବଢାଇଛନ୍ତି କେତେଜଣ ସହୃଦୟ ବ୍ୟକ୍ତି । ହାଇଦ୍ରାବାଦର ଏକ ସପ୍ଟୱେୟାର କମ୍ପାନୀରେ ମାନବ ସମ୍ବଳ ବିକାଶ ବିଭାଗରେ ମ୍ୟାନେଜର ଭାବେ କାମ କରୁଥିବା ରାମୁ ଦୋସାପଟି ବି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଏହି ସମୟରେ ସେ ହାଇଦ୍ରାବାଦରେ ଏକ ରାଇସ୍ ଏଟିଏମ୍ ଖୋଲିଛନ୍ତି । ଏଠାରୁ ଗରିବ ଓ ବେସାହାରା ଲୋକେ ସେମାନଙ୍କ ପାଇଁ ଚାଉଳ, ଡାଲି ଆଦି ସଂଗହ କରୁଛନ୍ତି । ଏହା ଦିନରେ ୨୪ ଘଣ୍ଟା କାର୍ଯ୍ୟ କରୁଥିଲେ ବି ଯଦି କୌଣସି କାରଣରୁ ଏହା ବନ୍ଦ ରହୁଛି ତେବେ ରାମୁ ତାଙ୍କ ଘରୁ ଆସି ରାଶନ ସାମଗ୍ରୀ ନେଇଯିବାକୁ କହିଛନ୍ତି । ଲକ୍‌ଡାଉନ୍ ସମୟରୁ ପାଖାପାଖି ୧୭୦ ଦିନ ହେବ ରାମୁ ଏହି କାମ କରୁଥିବା ବେଳେ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । କୁହାଯାଏ ରାମୁ ଏପର୍ଯ୍ୟନ୍ତ ନିଜ ପକେଟରୁ ପାଖାପାଖି ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରାୟ ୧୫ ହଜାର ଗରିବଙ୍କୁ ସାହାଯ୍ୟ କରି ସାରିଲେ । ଜଣେ ସିକ୍ୟୁରିଟି ଗାର୍ଡଙ୍କ ପାଖରୁ ପ୍ରେରଣା ପାଇ ରାମୁ ଏପରି କରୁଥିବା କୁହନ୍ତି ।

Share