Categories: ଜାତୀୟ

କର୍ନାଟକ ବିଧାନ ପରିଷଦରେ ହାଇଡ୍ରାମା

ବେଙ୍ଗାଲୁରୁ,୧୬ା୧୨(ପି.ଟି.); କର୍ନାଟକ ବିଧାନ ପରିଷଦରେ ମଙ୍ଗଳବାର ହାଇଡ୍ରାମା ଦେଖିବାକୁ ମିଳିଛି। ଅନାସ୍ଥା ପ୍ରସ୍ତାବକୁ ନେଇ ଶାସକ ଭାଜପା ସହ ବିରୋଧୀ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ଏବଂ କଂଗ୍ରେସ ସଦସ୍ୟମାନେ ପରସ୍ପରକୁ ଟଣାଓଟରା କରି ଧସ୍ତାଧସ୍ତି ହୋଇଥିଲେ। ବିରୋଧୀ ସଦସ୍ୟମାନେ ଉପବାଚସ୍ପତିଙ୍କୁ ତାଙ୍କ ଆସନରୁ ତଳକୁ ଟାଣିଥିଲେ। ହଟ୍ଟଗୋଳ ଓ ଅଚଳାବସ୍ଥା ମଧ୍ୟରେ ପରିଷଦର ଅନେକ ବରିଷ୍ଠ ସଦସ୍ୟ ଏହାକୁ ଅଭୂତପୂର୍ବ କଳଙ୍କିତ ଅଧ୍ୟାୟ ଭାବେ ଅଭିହିତ କରିଥିଲେ। ଶେଷରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଉଭୟ ଭାଜପା ଏବଂ ଜେଡିଏସ୍‌ ରାଜ୍ୟପାଳ ଭଜୁଭାଇ ଭାଲାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ପ୍ରକାଶ ଯେ, ଭାଜପା ସଦସ୍ୟମାନଙ୍କ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ମଙ୍ଗଳବାର କାର୍ଯ୍ୟସୂଚୀରେ ସ୍ଥାନ ପାଇ ନ ଥିଲା। ଗୃହର ଅଧ୍ୟକ୍ଷ କେ. ପ୍ରତାପଚନ୍ଦ୍ର ସେଟ୍ଟି ପ୍ରସ୍ତାବରେ ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଭାବେ କିଛି ଅଭିଯୋଗ ନ ଥିବା ଦର୍ଶାଇ ଏହାକୁ ଖାରଜ କରିଦେଇଥିବାରୁ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଥିଲା।

Share