ଅଧାରେ ରହିଲା ଶୁଟିଂ, ହଟହଟା ହେଲେ ବଲିଉଡ୍‌ ଅଭିନେତ୍ରୀ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଜୟଦେବ ବାଟିକାରେ ମଙ୍ଗଳବାର ଏକ ହିନ୍ଦୀ ଆଲବମ୍‌ ଭିଡିଓ ଶୁଟିଂବେଳେ ହାଇଡ୍ରାମା ଦେଖିବାକୁ ମିଳିଛି। ଅଭିନେତା ଅଭିନେତା ହିତେଶ ଦାସଙ୍କୁ ଆଲ୍‌ବମ୍‌ରେ ହିରୋ ଭୂମିକାରେ ସୁଯୋଗ ଦେବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ତାଙ୍କୁ ମନା କରିଦିଆଯିବାରୁ ଶୁଟିଂ ସେଟ୍‌ରେ ଗଣ୍ଡଗୋଳ ସହ ଯୁକ୍ତିତର୍କ ସୃଷ୍ଟି ହୋଇଥିଲା। ଯେଉଁଥିପାଇଁ ଭିଡିଓ ଶୁଟିଂ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା। ଫଳରେ ଓଡ଼ିଶା ଆସିଥିବା ବଲିଉଡ୍‌ ଅଭିନେତ୍ରୀ ଆକାଂକ୍ଷା ଶର୍ମାଙ୍କୁ ହଟହଟା ହେବାକୁ ପଡ଼ିଛି। ଏଥିସହ ବହୁ କଳାକାର ଓ କ୍ୟାମେରାମ୍ୟାନଙ୍କ ସମେତ ଅନ୍ୟ ଟେକ୍ନିସିଆନମାନେ ମଧ୍ୟ ହଇରାଣ ହୋଇଥିଲେ। ଶେଷରେ ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ହସ୍ତକ୍ଷେପ କରିବା ବିବାଦ ଥମିବା ସହ ଆପୋସ ସମାଧାନ ହୋଇଛି।
ସୂଚନା ଅନୁଯାୟୀ, ଏକ ହିନ୍ଦୀ ପ୍ରଡକ୍ସନ କମ୍ପାନୀର ଆଲବମ୍‌ ଭିଡିଓ ଶୁଟିଂ ପାଇଁ ନିର୍ଦ୍ଦେଶକ କୈଳାସ ରଥି ୧୦ଦିନ ତଳେ ହିତେଶଙ୍କୁ ଯୋଗାଯୋଗ କରିଥିଲେ। ଭିଡିଓରେ ହିତେଶଙ୍କୁ ହିରୋ ଭୂମିକାରେ ଅଭିନୟ ପାଇଁ ସୁଯୋଗ ଦିଆଯିବ ବୋଲି କୁହାଯାଇଥିଲା। ତେବେ ସୋମବାର ହିତେଶ ଅଭିନୟ ପାଇଁ କେତେ ଟଙ୍କା କଥା ପଚାରିବାରୁ ମାଗଣାରେ କାମ କର ବୋଲି ପ୍ରଯୋଜକ ସଂସ୍ଥା ପକ୍ଷରୁ କୁହାଯାଇଥିଲା। ଏନେଇ ହିତେଶ ଅରାଜି ହେବାରୁ ନିର୍ଦ୍ଦେଶକ ତାଙ୍କୁ ମଙ୍ଗଳବାର ସକାଳୁ ଜୟଦେବ ବାଟିକାରେ ଶୁଟିଂ ସେଟ୍‌କୁ ଆସିବାକୁ କହିଥିଲେ। ଶୁଟିଂ ବେଳେ ହିତେଶ ଜଣେ ସହ କଳାକାରଙ୍କ ସହ ସେଠାରେ ପହଞ୍ଚତ୍ଥିଲେ। ତେବେ ଅଭିନୟ ପାଇଁ କୌଣସି ଅନୁବନ୍ଧିତ ହୋଇନାହିଁ କହି ହିତେଶଙ୍କୁ ପ୍ରଯୋଜନା ସଂସ୍ଥା ମନା କରିଦେଇଥିଲେ। ଏପରିକି ମାଗଣା କାମ କରିବାକୁ ହେବ ବୋଲି କହିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ଓ ପାଟିତୁଣ୍ଡ ଚାଲିଥିଲା। ଖବରପାଇ ପୋଲିସ ପହଞ୍ଚତ୍ବା ପରେ ଶୁଟିଂ ଅଧାରେ ବନ୍ଦ ରହିଥିଲା। ନିର୍ଦ୍ଦେଶକ କୈଳାସ ଓ ହିତେଶଙ୍କୁ ପୋଲିସ ଥାନାକୁ ନେଇ ପଚରାଉଚରା କରିବା ସହ ଆପୋସ ସମାଧାନ କରିବାକୁ ପ୍ରୟାସ କରିଥିଲା। ଶେଷରେ ସମାଧାନର ବାଟ ଫିଟିଥିଲା। ଏଥିପାଇଁ ହିତେଶଙ୍କୁ ତାଙ୍କ ପ୍ରାପ୍ୟ ବାବଦରେ ନିର୍ଦ୍ଦେଶକ ଦଶ ହଜାର ଟଙ୍କା ଦେବା ପରେ ଘଟଣା ସମାଧାନ ହୋଇଥିଲା।

Share