ହାଇଡ୍ରୋଜେନ୍‌

ସେପ୍ଟେମ୍ବର ୨୫ରେ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ୍‌ ସିଂ ପୁରି ଇଣ୍ଡିଆ ଗେଟ୍‌ ନିକଟରେ ଦେଶର ପ୍ରଥମ ସବୁଜ ଉଦ୍‌ଜାନ ବା ଗ୍ରୀନ୍‌ ହାଇଡ୍ରୋଜେନ୍‌ଚାଳିତ ବସ୍‌ର ଶୁଭାରମ୍ଭ କରିଛନ୍ତି। ସରକାର ସବୁଜ ଉଦ୍‌ଜାନଚାଳିତ ଯାନ ଚଳାଚଳ ଲାଗି ଅଣ୍ଟା ଭିଡ଼ିଛନ୍ତି ଓ ଆସନ୍ତା ୨୦୭୦ ସୁଦ୍ଧା ଏହି ବସ୍‌ଗୁଡ଼ିକ ଭାରତର ଶୂନ୍ୟ ଅଙ୍ଗାରକ ନିର୍ଗମନ ଲକ୍ଷ୍ୟ ହାସଲ କରିବାରେ ପ୍ରମୁଖ ଭୂମିକା ନେବ ବୋଲି କହିଛନ୍ତି। ଏଠାରେ ସ୍ମରଣଯୋଗ୍ୟ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ୍‌କରୀ ମାର୍ଚ୍ଚ ୨୦୨୨ରେ ପାର୍ଲାମେଣ୍ଟକୁ ଏକ ଉଦ୍‌ଜାନଚଳିତ କାର୍‌ ଚଢ଼ି ଯାଇଥିଲେ। ସେଠାରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ଭାରତ ସରକାର କେବଳ ଏଭଳି କାର ନିର୍ମାଣ କରିବା ଯୋଜନା କରୁନାହାନ୍ତି, ବରଂ ହାଇଡ୍ରୋଜେନ୍‌ ରପ୍ତାନି ପାଇଁ ପ୍ରସ୍ତୁତ ହେଉଛନ୍ତି। ସେ ମଧ୍ୟ ପ୍ରକାଶ କରିଥିଲେ ଯେ, ସ୍ବେରେଜ ପାଣି ଓ କଠିନ ବର୍ଜ୍ୟରୁ ଉଦ୍‌ଜାନ ପ୍ରସ୍ତୁତ ହୋଇ ସେଥିରେ ବସ୍‌, କାର୍‌, ଟ୍ରକ୍‌ ସବୁ ଚାଲିବ। ଏତିମଧ୍ୟରେ ଦେଢ଼ବର୍ଷ ବିତିଗଲାଣି ଓ ସେଭଳି ଗାଡ଼ି ବଜାରକୁ ଏପର୍ଯ୍ୟନ୍ତ ଆସିପାରିନାହିଁ। କିନ୍ତୁ ହରଦୀପ୍‌ ପୁରି ଉଦ୍‌ଜାନଚାଳିତ ବସର ଉଦ୍‌ଘାଟନ କରି ଦିଲ୍ଲୀ ଏନ୍‌ସିଆରରେ ଆଉ ଏଭଳି ୧୫ଟି ବସ୍‌ ଚାଲିବ ବୋଲି କହିଛନ୍ତି। କିନ୍ତୁ ଦେଶର ଅନ୍ୟସବୁ ସ୍ଥାନରେ ଏହି ବସ୍‌ କେବେ ଦେଖିବାକୁ ମିଳିବ ତାହା କହିନାହାନ୍ତି।
ଉଲ୍ଲେଖନୀୟ ଯେ, ଜାପାନର ଟୟୋଟା କମ୍ପାନୀର ମିରାଇ ହେଉଛି ପୃଥିବୀର ପ୍ରଥମ ମୋଟର ଗାଡ଼ି, ଯେଉଁଥିରେ ଉଦ୍‌ଜାନ ଇନ୍ଧନ ସେଲ୍‌ ଅଛି। ସହଜରେ କହିବାକୁ ଗଲେ ଉଦ୍‌ଜାନ ଇନ୍ଧନ ସେଲ୍‌ର ମୂଳମନ୍ତ୍ର ହେଉଛି ଉଦ୍‌ଜାନ ବାଷ୍ପ ସହିତ ଅମ୍ଳଜାନ ମିଶିଲେ ବିଦ୍ୟୁତ୍‌ ଶକ୍ତି ସୃଷ୍ଟିହୁଏ, ଯାହାକି ଗାଡ଼ିକୁ ଚଳାଇବ। ଏଥିପାଇଁ କୌଣସି ଜୀବାଶ୍ମ ଇନ୍ଧନର ଆବଶ୍ୟକ ପଡ଼େନାହିଁ। ଫଳରେ ପ୍ରଦୂଷଣ କମ୍‌ ହୋଇଥାଏ। ମନେରଖିବାକୁ ହେବ ଯେ, ଉଦ୍‌ଜାନ ଏକ ଓଜନିଆ ବାଷ୍ପ। ଏହାକୁ ବ୍ୟବହାର କରିବା ପାଇଁ ଗାଡ଼ିରେ ଦାମୀ ଓ ଓଜନିଆ ଯନ୍ତ୍ରପାତି ଦରକାର। ତେବେ ଏଭଳି ଯାନ ନିର୍ମାଣ ଅତ୍ୟନ୍ତ ବ୍ୟୟବହୁଳ। ଭାରତ ପରିପ୍ରେକ୍ଷୀରେ କାଉନ୍‌ସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌), ନ୍ୟାଶନାଲ କେମିକାଲ ଲାବୋରେଟାରି (ପୁଣେ) ଅଟୋମୋବାଇଲ ଟେକ୍‌ ନୋଲୋଜି କମ୍ପାନୀ କେପିଆଇଟିର ମିଳିତ ଗବେଷଣାରେ ସ୍ବଦେଶୀ ଜ୍ଞନକୌଶଳରେ ବିକଶିତ ଉଦ୍‌ଯାନ ଇନ୍ଧନ ସେଲ ଦ୍ୱାରା ଉଦ୍‌ଜାନଚାଳିତ କାରର ପ୍ରଥମ ପରୀକ୍ଷଣ ୨୦୨୦ରେ କରାଯାଇଥିଲା। ସେବେଠାରୁ ଉଦ୍‌ଜାନଚାଳିତ ଗାଡ଼ି ପାଇଁ ଆବଶ୍ୟକ ସବୁଜ ଉଦ୍‌ଜାନ ଉତ୍ପାଦନ ଏକ ଚ୍ୟାଲେଞ୍ଜ ହୋଇରହିଛି। ଏହାର ଉତ୍ପାଦନ ଲାଗି ବିରାଟକାୟ ଇଲେକ୍ଟ୍ରୋଲିସିସ ପ୍ରକ୍ରିୟା ଓ ସବୁଜ ଶକ୍ତି ଆବଶ୍ୟକ ହେବ। ଏହା ମଧ୍ୟ ଅତ୍ୟନ୍ତ ବ୍ୟୟବହୁଳ। ଉଲ୍ଲେଖନୀୟ ଯେ, ସ୍କଟ୍‌ଲାଣ୍ଡ, ଇଂଲଣ୍ଡ, ଜର୍ମାନୀ ଓ ଜାପାନରେ ଉଦ୍‌ଜାନ ଉତ୍ପାଦନର ଅଭିଜ୍ଞତା ଅଛି। ଏହାସହ ପୃଥିବୀର କ୍ୱଚିତ୍‌ ଦେଶରେ ଅତ୍ୟନ୍ତ କମ୍‌ ଲୋକ ଅଛନ୍ତି, ଯେଉଁମାନଙ୍କର ଉଦ୍‌ଜାନ ବ୍ୟବହାର ସମ୍ପର୍କରେ ଅଭିଜ୍ଞତା ରହିଛି। ଏବେ ଭାରତରେ ଭାରତୀୟ ତୈଳ ନିଗମ, ରିଲାଏନ୍ସ, ଆଦାନୀ, ଏଲ୍‌ ଆଣ୍ଡ୍‌ ଟି, ଓଏନ୍‌ଜିସି, ବିପିସିଏଲ୍‌ କମ୍ପାନୀ ସବୁଜ ଉଦ୍‌ଜାନ ଉତ୍ପାଦନ ଆରମ୍ଭ କରିଛନ୍ତି। ଭାରତ ଭଳି ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶକୁ ଉଦ୍‌ଜାନ ଯୋଗାଇବାରେ ଏହିସବୁ କମ୍ପାନୀ କିଭଳି ସକ୍ଷମ ହେବେ ତାହା ସମୟ କହିବ। ଏଥିସହିତ ଏହି ବାଷ୍ପକୁ ରାସ୍ତକଡ଼ରେ ପେଟ୍ରୋଲ୍‌ କିମ୍ବା ଡିଜେଲ ପରି କିଭଳି ଯୋଗାଇ ଦିଆଯିବ ତାହା ଏକ ବିରାଟ ପ୍ରଶ୍ନ। ତେବେ ପ୍ରଦୂଷଣ ହ୍ରାସ କରିବା ଲକ୍ଷ୍ୟରେ ପୁରି ଉଦ୍‌ଜାନଚାଳିତ ବସ୍‌ ସାମ୍ନାକୁ ଆଣୁଥିବାବେଳେ ମନେରଖିବାକୁ ହେବ ଯେ, ଆମେ ଏବେ ସୁଦ୍ଧା କୋଇଲା ଉପରେ ଅଧିକ ନିର୍ଭରଶୀଳ ଓ ତାପଜ ବିଦ୍ୟୁତ୍‌ ଉତ୍ପାଦନକୁ ପ୍ରୋତ୍ସହିତ କରିଚାଲିଛୁ। ସବୁଜ ଉଦ୍‌ଯାନ ଉତ୍ପାଦନ କ୍ଷେତ୍ରରେ ସରକାର କେତେ ଆଗ୍ରହୀ, ତାହା ଜାତୀୟ ସବୁଜ ଉଦ୍‌ଜାନ ମିଶନ ପାଇଁ ୨୦୨୩ ବଜେଟରୁ ସ୍ପଷ୍ଟ ହେଉଛି। ଏହି ବଜେଟରେ ମାତ୍ର ୧୯,୭୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ପ୍ରଦୂଷଣ କମାଇବା ଲକ୍ଷ୍ୟରେ ସରକାରଙ୍କ କେତେ ଆନ୍ତରିକତା ରହିଛି, ତାହା ପ୍ରମାଣିତ ହେଉଛି ବିଦ୍ୟୁତ୍‌ଚାଳିତ ଯାନ ଚଳାଚଳ କ୍ଷେତ୍ରରେ। ଏହି ଯାନ ପାଇଁ ଯେଉଁଭଳି ଭିତ୍ତିଭୂମି ଯୋଗାଇ ଦିଆଯିବା ଦରକାର ତାହା ଏଯାବତ୍‌ ହୋଇପାରିନାହିଁ। କେବଳ ବଜାରକୁ ଯାନ ଛାଡ଼ିଦେଇ ଏହାର ଆନୁଷଙ୍ଗିକ ଭିତ୍ତିଭୂମି ଉପରେ ସେତେଟା ଗୁରୁତ୍ୱ ଦିଆଯାଉନାହିଁ। ନିବେଶକ କମ୍ପାନୀଗୁଡ଼ିକୁ ଆଶାନୁରୂପ ପ୍ରୋତ୍ସାହନ ଯୋଗାଇବାରେ ବିଫଳତା ସାମ୍ନାକୁ ଆସୁଛି। ଏହା ବ୍ୟତୀତ ନିର୍ଦ୍ଦିଷ୍ଟ ସମୟସୀମା ପରେ ପୁରୁଣା ଦଦରା ଗାଡ଼ିକୁ ହଟାଇବାରେ ବିଫଳତା ଦର୍ଶାଉଛି ଯେ, ପ୍ରଦୂଷଣକାରୀ ଜୀବାଶ୍ମ ଇନ୍ଧନ ଚାଳିତଯାନ ଭାରତର ରାସ୍ତାରେ ଏମିତି ଆହୁରି ଅନେକ ବର୍ଷ ଗଡ଼ିଚାଲିଥିବ। ଆଉ ଏକ ଦିଗକୁ ଲକ୍ଷ୍ୟ କଲେ ଜଣାପଡ଼େ ଯେ, ଜୀବାଶ୍ମ ଇନ୍ଧନର ପ୍ରଦୂଷଣ ହ୍ରାସ କରିବା ସକାଶେ ଭାରତରେ ପେଟ୍ରୋଲରେ ୧୦% ଇଥାନଲ ବ୍ୟବହାର ହେଉଛି। କିନ୍ତୁ ବ୍ରାଜିଲ ଇଥାନଲରେ ପ୍ରାୟ ଶତ ପ୍ରତିଶତ ଯାନ ଚଳାଉଛି। ଏହି ଇଥାନଲ କୃଷିଜାତ ଦ୍ରବ୍ୟରୁ ପ୍ରସ୍ତୁତ କରାଯାଉଛି। ଏଣୁ ଭାରତ କୃଷିଜାତ ଦ୍ରବ୍ୟରୁ ଇଥାନଲ ପ୍ରସ୍ତୁତ କରି ପ୍ରଦୂଷଣ ହ୍ରାସ କରିବାରେ ବ୍ରାଜିଲଠାରୁ ଶିକ୍ଷା ନେବା ଦରକାର। କେବଳ ସବୁଜ ଉଦ୍‌ଯାନଚାଳିତ ଗାଡ଼ି କଥା କହି ମୂଳ ସମସ୍ୟାରୁ ଦୂରେଇ ରହିଲେ ପ୍ରଦୂଷଣ ହ୍ରାସ ଲକ୍ଷ୍ୟ କଷ୍ଟକର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri