୪୮ ଘଣ୍ଟାରେ ଲଘୁଚାପ

ଭୁବନେଶ୍ୱର,୧୯ା୯(ଅନିଲ ଦାସ):ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏହା ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ୧୯ ତାରିଖରୁ ରାଜ୍ୟର ବିଭିନ୍ନ ଭାଗରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୪ ଦିନ ଯାଏ ବର୍ଷା ଜାରି ରହିବ।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା ଏବଂ କୋରାପୁଟ ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ରାଗୟଡା, ମାଲକାନଗିରି ଏବଂ କୋରାପୁଟ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲା ପାଇଁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ଲଘୁଚାପ ଯୋଗୁ ଆସନ୍ତା ୨୧ ତାରିଖରେ ଅନୁଗୋଳ, କେନ୍ଦୁଝର, ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର, ବରଗଡ, ସୋନପୁର, କଳାହାଣ୍ଡି, କନ୍ଧମାଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହି ସବୁ ଜିଲା ପାଇଁ ଅରେଞ୍ଜଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୨୨ ତାରିରେ ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ବରଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲା ପାଇଁ ଅରେଞ୍ଜଓ୍ବାର୍ନିଂ ଜାରି କରାଯାଇଛି।
ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଓ୍ବେଲମାର୍କ ଲୋପ୍ରେସର ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବା ସହ ଦକ୍ଷିଣ-ପୂର୍ବ ରାଜସ୍ଥାନ ଏବଂ ପଶ୍ଚିମ ମଧ୍ୟପ୍ରଦେଶ ଉପରେ ରହିଛି।
ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ରାଜ୍ୟରେ ଜୁନ୍‌ ପହିଲାରୁ ସେପ୍ଟେମ୍ବର ୧୮ ମଧ୍ୟରେ ସ୍ବାଭାବିକ ଭାବେ ୧୦୭୬.୬ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ହୋଇଛି ୧୦୧୩ ମିଲିମିଟର। ରାଜ୍ୟର ୩୦ ଜିଲାରୁ ୨୪ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୨ଟି ଜିଲାରେ ୨୧ ପ୍ରତିଶତ ଅଧିକ ବର୍ଷା ହୋଇଛି। ତେବେ ୪ ଜିଲାରେ ଏବେ ମଧ୍ୟ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି। କଳାହାଣ୍ଡିରେ ୨୭, କେନ୍ଦ୍ରାପଡା ୨୪, ନୂଆପଡା ୨୯ ଏବଂ ପୁରୀ ଜିଲାରେ ୨୧ ପ୍ରତିଶତ କମ ବର୍ଷା ହୋଇଛି। ଆଉ ଏକ ଲଘୁଚାପ ଦାନା ବାନ୍ଧୁ ଥିବାରୁ ରାଜ୍ୟର ୪ ନିଅଣ୍ଟିଆ ଜିଲାରେ ଭରଣା ହେବ ବୋଲି ଅନୁମାନ କରାଯାଉଛି।

Share