ମୁଁ ଜଣେ ପିପୁଲ୍ସ ସିଏମ୍‌: କାହିଁକି ଏମିତି କହିଲେ ମୋହନ ମାଝି

ଭୁବନେଶ୍ୱର,୧୯।୬: ବରଗଡର ଜଜ୍‌ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ସହାୟତା ବଣ୍ଟନରେ ଯୋଗଦେଇ ନିଜକୁ ପିପୁଲ୍ସ ସିଏମ୍‌ ବୋଲି ଅଭିହିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସି ଡବଲ୍‌ ଇଞ୍ଜିନ ସରକାର ପାଇଁ ଅନୁରୋଧ କରିଥିଲେ। ସେହି ଅନୁରୋଧ ରକ୍ଷା କରି ଚାଷୀମାନେ ରାଜ୍ୟରେ ନୂଆ ସରକାରକୁ ଆଣିଛନ୍ତି। ଏହି ସରକାର ଉପରେ ଚାଷୀଙ୍କ ବହୁତ ଆଶା, ଭରସା ରହିଛି। ପ୍ରଧାନମନ୍ତ୍ରୀ ମଧ୍ୟ ଚାଷୀଭାଇମାନଙ୍କୁ ଆଗେଇ ନେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କାକୁ ବୃଦ୍ଧି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍‌୍‌ରେ ନିଷ୍ପତ୍ତି ନିଆଯାଇଛି। ଧାନର ଏମ୍‌ଏସ୍‌ପି ବର୍ତ୍ତମାନ ୨୧୮୩ ଟଙ୍କା ରହିଛି। ଭାଜପା ସରକାର ଚାଷୀଙ୍କ କ୍ଷତି ଭରଣା ପାଇଁ କୃଷକ ସମୃଦ୍ଧି ନୀତି ଯୋଜନା ଆଣି ଧାନ କୁଇଣ୍ଟାଲ ପ୍ରତି ଆହୁରି ଅଧିକ ୯୧୭ ଟଙ୍କା ଲେଖାଏ ଦେବ। ଚାଷୀମାନେ ବିକ୍ରି ହେବାର ୪୮ଘଣ୍ଟା ମଧ୍ୟରେ ଡିବିଟି ମାଧ୍ୟମରେ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଲେଖାଏ ପାଇବେ ଏବଂ କୃଷିକ୍ଷେତ୍ରର ଭିତ୍ତିଭୂମିର ବିକାଶ ମଧ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଗତ ୨୪ବର୍ଷ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ତ ଦୂରର କଥା, ୨୪ ବର୍ଷର ସମସ୍ୟା ମଧ୍ୟ ପଡ଼ି ରହିଛି। ରାଜ୍ୟରେ ଶାସନକୁ ଆସିବା ପୂର୍ବରୁ ଭାଜପା ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ତାହା ପାଳନ କରାଯିବ। ଶପଥ ପାଠ ସରିବାର ଅଳ୍ପ ସମୟ ମଧ୍ୟରେ କେତେକ ପ୍ରମୁଖ ପ୍ରତିଶ୍ରୁତିକୁ ରାଜ୍ୟ କ୍ୟାବିନେଟ୍‌ରେ ମୋହର ଲାଗିଛି।
ସୂଚନାଯୋଗ୍ୟ, ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତିରେ ମଙ୍ଗଳବାର ରାଜ୍ୟର ୩୧ଲକ୍ଷ ୬୨ହଜାର ଚାଷୀଙ୍କ ଜମାଖାତା(ବ୍ୟାଙ୍କ ଆକାଉଣ୍ଟ)କୁ ୬୩୨କୋଟି ୪୮ଲକ୍ଷ ଟଙ୍କା ଯାଇଛି।

Share