Categories: ଜାତୀୟ

ମୁଁ ଜଣେ ସଚ୍ଚୋଟ ବ୍ୟକ୍ତି, ମୋ ଛବି ଖରାପ କରୁଛି ଭାଜପା: କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୪।୧: ଦିଲ୍ଲୀ ମଦ ନୀତି ଘୋଟାଲା ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଅଡୁଆ ବଢିବାରେ ଲାଗିଛି। ତାଙ୍କୁ ବାରମ୍ବାର ଇଡି ସମନ କରୁଛି। ଏନେଇ କେଜ୍‌ରିୱାଲ କହିଛନ୍ତି, ସିବିଆଇ ମୋତେ ୮ ମାସ ପୂର୍ବରୁ ଡକାଇଥିଲା, ମୁଁ ଯାଇଥିଲି। କିନ୍ତୁ ଇଡି ଡାକିବା ବେଆଇନ ଅଟେ। ପଚରାଉଚୁରାର ବାହାନାରେ ସେମାନେ ମୋତେ ଗିରଫ କରିବାକୁ ଚାହୁଁଛନ୍ତି। ଯେଉଁମାନେ ଭାଜପା ସହ ସହମତ ନୁହଁନ୍ତି ସେମାନଙ୍କୁ ଜେଲକୁ ପଠାଯାଏ। ଏଥିପାଇଁ ସେମାନେ ମନୀଷ ସିସୋଡିଆ ଏବଂ ସଞ୍ଜୟ ସିଂଙ୍କୁ ଜେଲରେ ରଖିଥିଲେ। ଯଦି ସେ ଭାଜପା ସହ ହାତ ମିଳାଇଥାନ୍ତେ ତେବେ ସେ ଜେଲରୁ ବାହାରିଥାନ୍ତେ। ଯିଏ ତାଙ୍କ ସହିତ ହାତ ମିଳେ ସେ ସଚ୍ଚୋଟ ହୋଇଯାଏ। ଏହି ଦେଶରେ ଯାହା ଚାଲିଛି ତାହା ବିପଜ୍ଜନକ। ଆମ ଶରୀରରେ ପ୍ରତ୍ୟେକ ବୁନ୍ଦା ରକ୍ତ ଦେଶ ପାଇଁ। ଆମେ ସବୁବେଳେ ଦେଶ ପାଇଁ ସଂଗ୍ରାମ କରିଛୁ।

ଅରବିନ୍ଦ କେଜ୍‌ରିୱାଲ ଆହୁରି ମଧ୍ୟ କହିଛନ୍ତି, ଆପଣ ଦୁଇ ବର୍ଷ ହେଲା ଅବକାରୀ ଘୋଟାଲାର ନାମ ଶୁଣୁଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ନୀତିରେ ଗୋଟିଏ ପଇସା ମଧ୍ୟ ମିଳିନାହିଁ। କାରଣ କୌଣସି ଘୋଟାଲା ହୋଇ ନ ଥିଲା। ଭାଜପା ମୋ ନାଁରେ ମିଥ୍ୟା ଅଭିଯୋଗ କରି ଲୋକ ସଭା ନିର୍ବାଚନରେ ପ୍ରଚାରରୁ ନିବୃତ୍ତ କରିବାକୁ ଚାହୁଁଛି। ଖୋଲାଖୋଲି ଭାବେ ଗୁଣ୍ଡାଗର୍ଦ୍ଦି ଚାଲିଛି। କାହାକୁ ଧର ଏବଂ ତାଙ୍କୁ ଜେଲରେ ରଖ। ମୋର ସବୁଠାରୁ ବଡ ଶକ୍ତି ହେଉଛି ସଚ୍ଚୋଟତା। ସେମାନେ ମିଥ୍ୟା ମାମଲା ଦାଖଲ କରି ମୋର ସଚ୍ଚୋଟତାକୁ ଆଘାତ କରିବାକୁ ଚାହୁଁଛନ୍ତି। ଏହି ସମସ୍ତ ସମନ ବେଆଇନ ଅଟେ। ଏଗୁଡିକ କାହିଁକି ବେଆଇନ ବୋଲି ମୁଁ ଉଡିକୁ ଉତ୍ତର ଦେଇଛି। ଯଦି ସେମାନେ ଉପଯୁକ୍ତ ସମନ ପଠାନ୍ତି, ମୁଁ ଅନୁସନ୍ଧାନରେ ସହଯୋଗ କରିବି।
ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଜଡିତ ଅର୍ଥ ହେରଫେରକୁ ନେଇ ଆଜି ଅରବିନ୍ଦ କେଜ୍‌ରିୱାଲଙ୍କ ଘରେ ଇଡି ଚଢାଉ କରିବା ଚର୍ଚ୍ଚାକୁ ଖଣ୍ଡନ କରିଛି ଇଡି। ଏହି ଚର୍ଚ୍ଚା ଗୁଜବ ଛଡା ଅନ୍ୟ କିଛି ନୁହେଁ, ଆଜି କେଜ୍‌ରିୱାଲଙ୍କ ଘରେ ଚଢାଉ କରିବା ନେଇ ସେପରି କିଛି ଯୋଜନା ହୋଇ ନାହିଁ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି।

Share