ମୋ’ ଉପରେ ମୁଖ୍ୟମନ୍ତ୍ରୀ ଭରସା କରିଥିବାରୁ ମୁଁ କୃତଜ୍ଞ: ପ୍ରମିଳା

ଭୁବନେଶ୍ୱର,୨୦ା୯(ଅନିଲ ଦାସ): ବିଜେଡିର ବରିଷ୍ଠ ନେତ୍ରୀ ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ବାଚସ୍ପତି ପ୍ରାର୍ଥୀ ହୋଇଛନ୍ତ। ଏ ନେଇ ବିଜେଡି ପକ୍ଷରୁ ବୁଧବାର ତାଙ୍କ ନାମ ଘୋଷଣା କରାଯାଇଛି। ସେ ମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇ ଗୁରୁବାର ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଆସନ୍ତା ୨୨ ତାରିଖ ସକାଳ ୯ଟାରେ ବିଧାନସଭାରେ ବାଚସ୍ପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ବିଧାନସଭାରେ ଅନ୍ୟ କୌଣସି ଦଳ ବାଚସ୍ପତି ପଦବୀ ପାଇଁ ପ୍ରାର୍ଥୀ ଦେଉ ନ ଥିବାରୁ ଏବଂ ବିଜେଡି ସଂଖ୍ୟାଗରିଷ୍ଠ ଥିବାରୁ ପ୍ରମିଳା ପ୍ରାୟତଃ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ବାଚସ୍ପତି ପଦ ପାଇଁ ପ୍ରମିଳାଙ୍କ ନାମ ଘୋଷଣା ହେବା ପରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋତେ ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଥିବାରୁ ବହୁତ ଖୁସି। ମୁଖ୍ୟମନ୍ତ୍ରୀ ମୋ ଉପରେ ଭରସା କରିଥିବାରୁ ତାଙ୍କ ନିକଟରେ କୃତଜ୍ଞ। ନିରପେକ୍ଷ ଭାବେ ସବୁ ଦଳକୁ ନେଇ ଗୃହ ଚଳାଇବାକୁ ଚେଷ୍ଟା କରିବି। ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳାମାନଙ୍କୁ ଆଗକୁ ନେବାକୁ ଉଦ୍ୟମ କରି ଆସିଛନ୍ତି। ମହିଳାଙ୍କୁ ସ୍ବାବଲମ୍ବୀ ଓ ସଶକ୍ତ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଅତୁଳନୀୟ। ମୁଖ୍ୟମନ୍ତ୍ରୀ ରାଜ୍ୟରେ ମହିଳାଙ୍କ ପାଇଁ ଯାହା କରିଛନ୍ତି ଦେଶରେ ଅନ୍ୟ କେହି କରିନାହାନ୍ତି। ପାର୍ଲାମେଣ୍ଟରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ସେ ବାରମ୍ବାର ଦାବି କରି ଆସୁଥିଲେ। ତାହା ଏବେ ଫଳପ୍ରଦ ହୋଇଛି। ସମ୍ବିଧାନ ବିଧି ବ୍ୟବସ୍ଥା ଅନୁଯାୟୀ, ସବୁ ଦଳକୁ ସାଥିରେ ନେଇ ଗୃହ କିପରି ସୁରୁଖୁରୁରେ ଚାଲିବ ସେ ନେଇ ଚେଷ୍ଟା କରିବି ବୋଲି ପ୍ରମିଳା କହିଛନ୍ତି।

Share