Categories: ଜାତୀୟ

‘ମୁଁ ଇନ୍ଦିରାଜୀଙ୍କ ବୋହୂ, କାହାକୁ ଡରେ ନାହିଁ’

ନୂଆଦିଲ୍ଲୀ,୨୧।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଗୁରୁବାର ପଚରାଉଚରା କରିବ। ଏଥିପାଇଁ ସୋନିଆ ଇଡି ଅଫିସରେ ହାଜର ହୋଇଛନ୍ତି। କଂଗ୍ରେସକର୍ମୀମାନେ ଇଡି ତଦନ୍ତ ବିରୋଧରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛନ୍ତି।
ଇଡିରେ ହାଜର ହେବା ପୂର୍ବରୁ ତାମିଲନାଡୁ କଂଗ୍ରେସ କମିଟି ପକ୍ଷରୁ ସୋନିଆ ଗାନ୍ଧୀଙ୍କ ଏକ ପୁରୁଣା ଭିଡିଓ ଟୁଇଟର୍‌ରେ ଶେୟାର କରାଯାଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୨୦୧୫ର ଏହି ଭିଡିଓରେ ସୋନିଆ କହିଛନ୍ତି, ମୁଁ ଇନ୍ଦିରା (ଗାନ୍ଧୀ) ଜୀଙ୍କର ବୋହୂ ଏବଂ ମୁଁ କାହାକୁ ଭୟ କରେ ନାହିଁ।
ନ୍ୟାଶନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ପଚରାଉଚରା କରିବ। ଏହାପୂର୍ବରୁ ଇଡି ପକ୍ଷରୁରାହୁଲ ଗାନ୍ଧୀଙ୍କୁ ପ୍ରାୟ ୫୦ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଏହି ମାମଲାରେ ପୂର୍ବରୁ ସୋନିଆଙ୍କୁ ଜୁନ ୮ରେ ହାଜର ପାଇଁ ନୋଟିସ ହୋଇଥିଲା। କିନ୍ତୁ ଜୁନ ୧ରେ ସେ କରୋନା ସଂକ୍ରମିତ ହେବା ଯୋଗୁ ହାଜର ପାଇଁ ଅଧିକ ସମୟ ମାଗିଥିଲେ।
ଆଜିର ପଚରାଉଚରା ସମୟରେ ମଧ୍ୟ ସୋନିଆ ଗାନ୍ଧୀଙ୍କ ଅସୁସ୍ଥତାକୁ ଦୃଷ୍ଟିରେ ରଖି ତାଙ୍କୁ ଇଡି ପକ୍ଷରୁ ଏକ ବିଶେଷ ରିହାତି ଦିଆଯାଇଛି। ପଚରାଉଚରା ସମୟରେ ଅତ୍ୟାବଶ୍ୟକ ଔଷଧ ଖାଇବା ପାଇଁ ପର୍ଯ୍ୟାୟ ବିରତି ଦିଆଯିବ।

Share