Categories: ଜାତୀୟ

‘ମୁଁ ଅପରାଧୀ ନୁହେଁ, ମୋତେ ସିଙ୍ଗାପୁର ଛାଡ’

ନୂଆଦିଲ୍ଲୀ,୧୮ା୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପୁଣି ସୋମବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସିଙ୍ଗାପୁର ଗସ୍ତକୁ ଅନୁମତି ପ୍ରଦାନରେ ବିଳମ୍ବକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ରାଜନୈତିକ କାରଣରୁ ତାଙ୍କୁ ସିଙ୍ଗାପୁରରେ ହେବାକୁ ଥିବା ଏକ ସମ୍ମିଳନୀରେ ଯୋଗଦେବାକୁ ଅନୁମତି ଦିଆଯାଉ ନାହିଁ। ସେ ଅପରାଧୀ ନୁହନ୍ତି, ତାଙ୍କୁ ସିଙ୍ଗାପୁର ଛଡ଼ାଯାଉ ବୋଲି କେଜ୍‌ରିଓ୍ବାଲ କହିଛନ୍ତି।
ସିଙ୍ଗାପୁର ଗସ୍ତ ପାଇଁ ଅନୁମତି ଦେବାରେ କେନ୍ଦ୍ରର ବିଳମ୍ବରେ ରାଗିଯାଇ କେଜ୍‌ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି କହିଛନ୍ତି, ସେ ଗତ ମାସେ ଧରି ଅନୁମତିକୁ ଅପେକ୍ଷା କରିଛନ୍ତି। ସେ ଚିଠିରେ ଲେଖିଛନ୍ତି, ସିଙ୍ଗାପୁରରେ ହେବାକୁ ଥିବା ବିଶ୍ୱ ସିଟି ସମ୍ମିଳନୀରେ ଯୋଗଦେବାକୁ ସେହି ଦେଶର ସରକାର ମୋତେ ନିମନ୍ତ୍ରଣ କରିଛନ୍ତି। ସେଠାରେ ସେ ବିଶ୍ୱ ନେତାଙ୍କ ନିକଟରେ ଦିଲ୍ଲୀ ମଡେଲ ଉପସ୍ଥାପନ କରିବେ ଏବଂ ଭାରତ ପାଇଁ ଗୌରବ ଆଣିବେ। ମୁଁ ଅପରାଧୀ ନୁହେଁ, ମୁଁ ଜଣେ ମୁଖ୍ୟମନ୍ତ୍ରୀ ଏବଂ ଦେଶର ମୁକ୍ତ ନାଗରିକ। ମୋତେ ସିଙ୍ଗାପୁର ଯିବାକୁ ବାରଣ କରିବାର କୌଣସି ଆଇନଗତ ଆଧାର ନାହିଁ, ତେଣୁ ଏହା ପଛରେ ଏକ ରାଜନୈତିକ କାରଣ ଥିବା ପରି ମନେହେଉଛି।
ସୂଚନାଯୋଗ୍ୟ, ଗତ ଜୁନ ମାସରେ ସିଙ୍ଗାପୁରର ହାଇ କମିଶନର ସାଇମନ ୱଙ୍ଗ ଅରବିନ୍ଦ କେଜ୍‌ରିୱାଲଙ୍କୁ ଏହି ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ କରିଥିଲେ। ଅଗଷ୍ଟ ପ୍ରଥମ ସପ୍ତାହରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

Share