Categories: ଜାତୀୟ

ମୁଁ ଅହଂକାରୀ ନୁହେଁ: ରାହୁଲ

ନୂଆଦିଲ୍ଲୀ,୩ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରନେମ୍‌ ସହ ଜଡ଼ିତ ମାନହାନି ମାମଲାରେ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି। ତାଙ୍କ ଆବେଦନ ଉପରେ ଅଗଷ୍ଟ ୪ରେ ହେବାକୁ ଥିବା ଶୁଣାଣି ପୂର୍ବରୁ ବୁଧବାର ସେ ସୁପ୍ରିମ୍‌କୋର୍ଟଙ୍କୁ କହିଛନ୍ତି, ମୁଁ ଏହି ଅପରାଧରେ ଦୋଷୀ ନୁହେଁ। ତେଣୁ ଦଣ୍ଡ ଉପରେ ରୋକ ଲଗାଯାଉ। ଯଦି କ୍ଷମା ମାଗିବା ଏବଂ ଦଣ୍ଡ ହ୍ରାସ କରିବାର ଥିଲା, ତେବେ ଏହା ମୁଁ ଢେର୍‌ ଦିନ ପୂର୍ବରୁ କରିପାରିଥା’ନ୍ତି। ଅଭିଯୋଗକାରୀ ଭାଜପାର ପୂର୍ଣ୍ଣେଶ ମୋଦି ନିଜେ ମୂଳତଃ ମୋଦି ସମ୍ପ୍ରଦାୟର ନୁହନ୍ତି। ତେବେ କ୍ଷମା ମାଗି ନ ଥିବାରୁ ମୋତେ ଅହଂକାରୀ କହିବା ଠିକ୍‌ ନୁହେଁ ।
ସୂଚନାଯୋଗ୍ୟ, ମୋଦି ସରନେମ୍‌ ବଦନାମ ମାମଲାରେ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦି ଜୁଲାଇ ୩୧ରେ ସୁପ୍ରିମ୍‌କୋର୍ଟରେ ଏକ ଜବାବ ଦାଖଲ କରିଥିଲେ। ଏଥିରେ ସେ ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରିବାକୁ ଦାବି କରିଛନ୍ତି। ଆଉ ସେ ସୁପ୍ରିମ୍‌କୋର୍ଟରେ ଦେଇଥିବା ଜବାବରେ ରାହୁଲ କ୍ଷମା ମାଗିବାକୁ ମନା କରିବାରୁ ‘ଅହଂକାରୀ’ ଶବ୍ଦ ବ୍ୟବହାର କରିଛନ୍ତି। ରାହୁଲଙ୍କୁ ଆଶ୍ୱସ୍ତି ଦେବା ପାଇଁ କୌଣସି ଆଧାର ନାହିଁ ବୋଲି ପୂର୍ଣ୍ଣେଶ କହିଛନ୍ତି। ତାଙ୍କର ଆଚରଣ ଗର୍ବରେ ପରିପୂର୍ଣ୍ଣ। ବିନା କାରଣରେ ସମଗ୍ର ଶ୍ରେଣୀକୁ ଅପମାନିତ କରିବା ପରେ ସେ କ୍ଷମା ମାଗିବାକୁ ମନା କରିଦେଇଥିଲେ।
ମାନହାନି ମାମଲାରେ ରାହୁଲଙ୍କୁ ଚଳିତବର୍ଷ ମାର୍ଚ୍ଚରେ ସୁରତ କୋର୍ଟ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ଗୁଜରାଟ ହାଇକୋର୍ଟ ଜୁଲାଇ ୭ରେ ଏହି ରାୟକୁ କାଏମ ରଖିଥିଲେ। ଏହା ପରେ ରାହୁଲ ସୁପ୍ରିମକୋର୍ଟ ଯାଇଛନ୍ତି।
ଉଲ୍ଲେଖଯୋଗ୍ୟ, ୧୩ ଏପ୍ରିଲ ୨୦୧୯ରେ, କର୍ନାଟକର କୋଲାରରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାବେଳେ ରାହୁଲ କହିଥିଲେ, ସମସ୍ତ ଚୋରଙ୍କ ସରନେମ୍‌ ମୋଦି କାହିଁକି ହୁଏ? ଏହି ପ୍ରସଙ୍ଗରେ ପୂର୍ଣ୍ଣେଶ ମୋଦି ୨୦୧୯ରେ ତାଙ୍କ ବିରୋଧରେ ଆପରାଧିକ ମାନହାନି ମକଦ୍ଦମା ଦାଏ ର କରିଥିଲେ।

Share