Categories: ଖେଳ

ଟି୨୦ ବିଶ୍ୱକପ୍‌ ପାଇଁ ମୁଁ ପ୍ରସ୍ତୁତ: କାର୍ତ୍ତିକ

କୋଲକାତା, ୨୧।୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଚମତ୍କାର ଫର୍ମରେ ଥିବା ଭେଟେରାନ ଉଇକେଟ କିପର ଦୀନେଶ କାର୍ତ୍ତିକ ପୁଣିଥରେ ବିଶ୍ୱକପ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ଆଶା ହରାଇ ନାହାନ୍ତି। ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ହେବାକୁଥିବା ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ସାମିଲ ହେବା ପାଇଁ ସେ ଶତ ପ୍ରତିଶତ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି।

ଜୁନ୍‌ ୧ରେ ବିଶ୍ୱକପ୍‌ ଆରମ୍ଭ ହେବା ବେଳକୁ କାର୍ତ୍ତିକଙ୍କୁ ୩୯ ବର୍ଷ ହୋଇଥିବ। ୨୦୨୨ରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ ପାଇଁ ସେ ଭାରତୀୟ ଦଳର ସଦସ୍ୟ ଥିଲେ। ଭାରତ ପକ୍ଷରୁ ଶେଷଥର ପାଇଁ ସେ ଏହି ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଥିଲେ। ସେବେଠାରୁ ସେ କ୍ରିକେଟ ପଡ଼ିଆରୁ ଦୂରରେ ରହି କମେଣ୍ଟ୍ରିରେ ବ୍ୟସ୍ତ ରହୁଥିଲେ। ଚଳିତ ସିଜନରେ ଆଇପିଏଲ୍‌କୁ ପ୍ରତ୍ୟାବର୍ତ୍ତନ କରି ସେ ନିଜ ବ୍ୟାଟିଂକୁ ଭିନ୍ନ ଏକ ସ୍ତରକୁ ନେଇ ଯାଇଛନ୍ତି। ବିସ୍ଫୋରକ ବ୍ୟାଟିଂ କରି ସେ ନିଜ ଷ୍ଟ୍ରାଇକ୍‌ ହାରକୁ ୨୦୫ ଉପରେ ରଖିଛନ୍ତି।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ପାଇଁ ସେ ତୃତୀୟ ସର୍ବାଧିକ ରନ ସ୍କୋରର ମଧ୍ୟ ଅଛନ୍ତି। ୨୨୬ ରନ ସ୍କୋର କରି ସେ ବିରାଟ କୋହଲି (୩୬୧) ଓ ଅଧିନାୟକ ଫାଫ୍‌ ଡୁପ୍ଲେସି (୨୩୨)ଙ୍କ ପଛରେ ରହିଛନ୍ତି।
”ମୋ ଜୀବନର ଏହି ସ୍ଥିତିରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିପାରିଲେ ବହୁତ ବଡ଼ ଅନୁଭବ ହେବ। ମୁଁ ଏହା କରିବା ପାଇଁ ପ୍ରସ୍ତୁତ। ଟି୨୦ ବିଶ୍ୱକପ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାଠାରୁ ମୋ ପାଇଁ ଆଉ ବଡ଼ କିଛି ନାହିଁ“ ବୋଲି କୋଲକାତା ନାଇଟ ରାଇଡର୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚ ପୂର୍ବରୁ ଉଇକେଟକିପର-ବ୍ୟାଟର ଏହା ପ୍ରକାଶ କରିଛନ୍ତି।

କାର୍ତ୍ତିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିବାରୁ ଉଇକେଟକିପର ବ୍ୟାଟରଙ୍କ ପାଇଁ ପ୍ରତିଦ୍ୱନ୍ଦ୍ୱିତା ବଢ଼ି ଯାଇଛି। ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ସର୍ବାଧିକ ୨ ଖେଳାଳିଙ୍କୁ ଏହି ସ୍ଥାନ ପାଇଁ ବାଛି ପାରିବେ। ଭୟଙ୍କର ଦୁର୍ଘଟଣାରୁ ଫେରି ଏବେ ଆଇପିଏଲ୍‌ ଖେଳୁଥିବା ରିଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଉଥିବାବେଳେ ସଞ୍ଜୁ ସାମସନ ରାଜସ୍ଥାନ ରୟାଲ୍‌ସ, ଇଶାନ କିଶନ ମୁମ୍ବାଇ ଇଣ୍ଡିଆନ୍ସ ଓ ଲୋକେଶ ରାହୁଲ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଏ ସମସ୍ତେ ଉଇକେଟକିପର-ବ୍ୟାଟର ଦୌଡ଼ରେ ସାମିଲ ଅଛନ୍ତି। ବିଗ୍‌-ଥ୍ରୀ କୋଚ୍‌ ରାହୁଲ ଡ୍ରାଭିଡ, ଅଧିନାୟକ ରୋହିତ ଶର୍ମା ଓ ଚୟନ କମିଟି ମୁଖ୍ୟ ଅଜିତ ଅଗରକର ଯାହା ନିଷ୍ପତ୍ତି ନେବେ ତା’କୁ ସେ ସମ୍ମାନ ଦେବେ ବୋଲି କାର୍ତ୍ତିକ ପ୍ରକାଶ କରିଛନ୍ତି।

Share