ଯାଜପୁରର ବିକାଶ ପାଇଁ ମୁଁ ପୁଣି ଲଢ଼ିବାକୁ ପ୍ରସ୍ତୁତ: ପ୍ରଣବ ପ୍ରକାଶ

ଝୁମ୍ପୁରୀ, ୩।୧୦(ସରୋଜ ନାୟକ): ଯାଜପୁରର ବିକାଶ ପାଇଁ ‘ମୁଁ ପୁଣି ଲଢ଼ିବାକୁ ପ୍ରସ୍ତୁତ’ ବୋଲି ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଘୋଷଣା କରିଛନ୍ତି। ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ବୁଧବାରଠାରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇ ସେ ଏକଥା କହିଛନ୍ତି।

ଯାଜପୁର ଜିଲା ଦଶରଥପୁର ବ୍ଲକ୍‌ର କୁଆଁସ ମା’ ମଙ୍ଗଳାପୀଠରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ବହୁ କର୍ମୀ ସାମିଲ ହୋଇଥିଲେ। ଜିଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜନସମ୍ପର୍କ ସଭାରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ମୁଖ୍ୟ ଅତିଥିଭାବେ ଯୋଗଦେଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ସେ କହିଥିଲେ, ଯାଜପୁରର ବିକାଶରେ ବାଧା ସୃଷ୍ଟି କରିବାକୁ ଚକ୍ରାନ୍ତ ଚାଲିଛି। ଯାଜପୁରକୁ ଆଗକୁ ନେବାପାଇଁ ଯେତେ ବାଧାବିଘ୍ନ ଆସୁପଛେ ସେ ସବୁ ବାଧାବିଘ୍ନକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ଯାଜପୁରର ବିକାଶ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେତେବେଳେ ଯାହା ମାଗିଥିଲେ ସେ ଆଖିବୁଜି ସେସବୁ ଦେଇଛନ୍ତି। ସେଥିପାଇଁ ଯାଜପୁର ବିକାଶର ଶିଖରରେ ପହଞ୍ଚିଛି, ଯାହାକୁ କି ଭାଜପା ସରକାର ସହ୍ୟ କରିପାରୁନାହିଁ ବୋଲି ପ୍ରଣବ ପ୍ରକାଶ କହିଛନ୍ତି। ବିଧାନସଭା ନିର୍ବାଚନରେ ଯାଜପୁରବାସୀ ପୁଣିଥରେ ଆସ୍ଥା ପ୍ରକଟକରି ବିଜେଡି ପ୍ରାର୍ଥିନୀଙ୍କୁ ଏଠାରେ ବିଜୟୀ କରିଥିବାରୁ ସେ ଯାଜପୁରର ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅନ୍ୟତମ ଅତିଥିଭାବେ ଯାଜପୁର ବିଧାୟିକା ସୁଜାତା ସାହୁ ଯୋଗଦେଇ ବିଜେଡି ସରକାରକୁ ଲୋକେ ଏବେବି ଝୁରି ହେଉଛନ୍ତି ବୋଲି କହିଥିଲେ। ସମ୍ମାନିତ ଅତିଥିଭାବେ ପୂର୍ବତନ ଏମ୍‌ପି ଶର୍ମିଷ୍ଠା ସେଠୀ, ଦଶରଥପୁର ବ୍ଲକ୍‌ ଅଧ୍ୟକ୍ଷ ଦିଗାମ୍ବର ମଲ୍ଲିକ, ବିଜେଡି ନେତା କର୍ଣ୍ଣାଟ କେଶରୀ ଦାସ, ଜିଲା ପରିଷଦ ସଭ୍ୟ ପାର୍ଥସାରଥୀ ମହାପାତ୍ର, ବ୍ଲକ୍‌ ବିଜେଡି ସଭାପତି ଅଜୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ସରପଞ୍ଚ, ସମିତିସଭ୍ୟଙ୍କ ସହ ବହୁ ବରିଷ୍ଠ ନେତା ପଦଯାତ୍ରାରେ ସାମିଲ ହୋଇଥିଲେ।