ଇଂ. ମୁରଲୀଧର ହୋତା
ପୃଥିବୀର ଚାରିଖଣ୍ଡ ମହାକାବ୍ୟ ରାମାୟଣ, ମହାଭାରତ, ଇଲିଆଡ୍ ଏବଂ ଓଡ଼ିଶେ ମଧ୍ୟରୁ ସର୍ବବୃହତ୍ ମହାକାବ୍ୟ ‘ମହାଭାରତ’ର ମୁଁ ମହାନାୟିକା। ଏହି ମହାକାବ୍ୟର ରଚୟିତା ହେଉଛନ୍ତି ମହର୍ଷି ବ୍ୟାସଦେବ ଏବଂ ଏଥିରେ ଲେଖାକାର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ବିଘ୍ନବିନାଶନ ଗଣେଶ। ଏଥିରେ ରହିଛି ଉଚ୍ଚ ବଂଶର ମହତ୍ ଚରିତ୍ର ସହିତ ନୀଚ ଚରିତ୍ରର ଚିତ୍ରଣ, ଉଭୟେ ଦୈବୀ ଏବଂ ଆସୁରୀ ଚରିତ୍ରର ବର୍ଣ୍ଣନ। କେତେକ ଚରିତ୍ର ମଧ୍ୟରେ ସ୍ପଷ୍ଟ ବିରୋଧାଭାସ ଥିବା ସତ୍ତ୍ୱେ ଏହାକୁ ନାଟକୀୟ ଭଙ୍ଗୀରେ ପାଠକ/ଦର୍ଶକମାନଙ୍କର ବିଶ୍ୱାସର ବଳୟ ଭିତରକୁ ଟାଣିନେବାର ଭାବ ଏବଂ ପ୍ରତିଶ୍ରୁତିର ଆଧାରକୁ ଧାରଣକରି ରଖିପାରିବାର ପଣ, ଜୀବନରେ ଭାଗ୍ୟ ଏବଂ ସ୍ବାଧୀନ ମତ ପୋଷଣର ପଛରେ ଥିବା ଉପକାରୀ ତଥା ଅନିଷ୍ଟକାରୀ ବଳ ପ୍ର୍ରୟୋଗର ଭୂମିକା ଇତ୍ୟାଦି ସମ୍ପର୍କରେ ଏକ ହୃଦୟସ୍ପର୍ଶୀ ଢଙ୍ଗରେ ବର୍ଣ୍ଣନା କରାଯାଇଛି। ମୁଁ ସେହି ମହାନାୟିକା ଦ୍ରୁପଦନନ୍ଦିନୀ ଦ୍ରୌପଦୀ ଯିଏ କି ଭାରତୀୟ ଜନମାନସକୁ ଦ୍ୱାପରଯୁଗରୁ ଏଯାବତ୍ ଆଚ୍ଛନ୍ନ କରି ରଖିଆସିଛି। ମୁଁ ଅନ୍ୟ ଯେଉଁ ନାମଗୁଡିକରେ ପ୍ରସିଦ୍ଧିଲାଭ କରିଛି ସେଗୁଡ଼ିକ ହେଲେ ପାଞ୍ଚାଳୀ, ଯାଜ୍ଞସେନୀ, ସୈରିନ୍ଧ୍ରୀ, କୃଷ୍ଣା ଇତ୍ୟାଦି। ତେବେ ଭାରତବର୍ଷର ପ୍ରଜ୍ଞାପୁରୁଷମାନେ ସେ ସମୟରେ ଯେଉଁ ‘ପଞ୍ଚସତୀ’ଙ୍କର ତାଲିକା ପ୍ରସ୍ତୁତ କରିଥିଲେ, ସେମାନେ ମୋ ନାମ ‘ଦ୍ରୌପଦୀ’କୁ ସର୍ବାଗ୍ରେ ରଖିଥିବାରୁ ମୁଁ ଦ୍ରୌପଦୀ ନାମରେ ସୁପରିଚିତା।
ମୁଁ ତ ଯଜ୍ଞର ଜ୍ୱଳନ୍ତ ଅଗ୍ନିଶିଖାରୁ ଆବିର୍ଭୂତା। ଯଦିବା ମୁଁ ମନୁଷ୍ୟ ଶରୀରଧାରିଣୀ, ବାସ୍ତବରେ ମୋର ଜନ୍ମ ମନୁଷ୍ୟ ଔରଷରୁ ନୁହେଁ। ଏଭଳି ଏକ ଜନ୍ମଲାଭ କରିବାରେ ମୁଁ ପ୍ରଥମ। ଏକ ସ୍ବତନ୍ତ୍ର କାର୍ଯ୍ୟ ହାସଲ କରିବା ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର ଶକ୍ତିସହ ମୋର ଆବିର୍ଭାବ। ମୋର ଏହି ଅଲୌକିକ ଜନ୍ମର ଉଦ୍ଦେଶ୍ୟ ଥିଲା କୌରବ ବଂଶର ଧ୍ୱଂସରେ ସହାୟତା କରିବା। ଯେଉଁ ସଂକଳ୍ପ ସହ ମୁଁ ଜନ୍ମ ହୋଇଥିଲି ତାହା ଯେ ମୁଁ ପୂରଣ କରିପାରିଛି ତାହା ହିଁ ମୋ ଜନ୍ମର ସାର୍ଥକତା। ଅତଏବ ମୋତେ ମାନବୀୟ ମୂଲ୍ୟବୋଧର ନିକିତିରେ ତଉଲିବା ଅଯଥାର୍ଥ ମନେହୁଏ। ଆଉ ଏକ ଆଦର୍ଶ ନାରୀ ଚରିତ୍ର ହେଉଛନ୍ତି ‘ମହାଭାରତ’ର ଅନ୍ୟତମ ନାୟିକା ମହାରାଣୀ କୁନ୍ତୀ, ଯିଏ କି ଥିଲେ ମୋର ଶାଶୁ। ସେତେବେଳେ ଆର୍ଯ୍ୟାବର୍ତ୍ତର ସୁରକ୍ଷାପାଇଁ ରାଜବଂଶରେ ସୁଯୋଗ୍ୟ ସନ୍ତାନ ଜନ୍ମଦେବା ସମାଜର ଆବଶ୍ୟକତା ଥିଲା। ସେଥିପାଇଁ ମାତା କୁନ୍ତୀ ଭିନ୍ନ ଭିନ୍ନ ଦେବତାମାନଙ୍କଠାରୁ ତିନିଜଣ ବୀର ସନ୍ତାନକୁ ଜନ୍ମ ଦେଇଥିଲେ। ଏହା ତାଙ୍କ ଅଭିଶପ୍ତ ସ୍ବାମୀଙ୍କ ଜ୍ଞାତସାରରେ ଏବଂ ନିର୍ଦ୍ଦେଶ ଯୋଗୁ ହିଁ ସମ୍ଭବ ହୋଇଥିଲା। ସେତେବେଳେ କୌରବ ୧୦୦ଭାଇଙ୍କ ଦୌରାତ୍ମ୍ୟରେ ଆର୍ଯ୍ୟାବର୍ତ୍ତ ଆର୍ତ୍ତଚିତ୍କାର କରୁଥିଲା। ପଣ୍ଡୁଙ୍କ ନିର୍ଦ୍ଦେଶ ଥିଲା ୧୦୦ଜଣ ଦୁଷ୍ଟ, ଦୁରାଚାରୀ କୌରବମାନଙ୍କୁ ଦମନ କରିବାପାଇଁ ଆହୁରି ଅଧିକ ଦେବତାଙ୍କୁ ଆବାହନ କରି ଅଧିକ ଶକ୍ତିଶାଳୀ ପୁତ୍ରମାନଙ୍କୁ ଜନ୍ମଦେବା; ମାତ୍ର କୁନ୍ତୀ ଏ ପ୍ରସ୍ତାବରେ ଅରାଜି ହୋଇ ଆଉ ଦୁଇଟି ସନ୍ତାନ ଜନ୍ମ ପାଇଁ ମାଦ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ, ଫଳତଃ ମାଦ୍ରୀ ଅଶ୍ୱିନୀ କୁମାରଙ୍କଠାରୁ ଯମଜ-ସନ୍ତାନ ନକୁଳ ଏବଂ ସହଦେବଙ୍କୁ ଜନ୍ମ ଦେଇଥିଲେ। ପଣ୍ଡୁଙ୍କୁ କୁନ୍ତୀ କଥା ଦେଇଥିଲେ ଏହି ପାଞ୍ଚଜଣ ପଞ୍ଚୁପାଣ୍ଡବଙ୍କୁ ସେ ସମସ୍ତ ଅସୁବିଧାଜନକ ପରିସ୍ଥିତି ଭିତରେ ଏଭଳି ଶୂରବୀର ଭାବରେ ଗଢ଼ିତୋଳିବେ ଯେ ସେମାନେ ଦୁଷ୍ଟ ନିବାରଣ କରି ଯୁଗ ପରିବର୍ତ୍ତନର ମାଧ୍ୟମ ପାଲଟିବେ। ପରବର୍ତ୍ତୀ ସମୟରେ ତାଙ୍କ ସଂକଳ୍ପ ସଫଳ ହୋଇଥିଲା କୌରବ ବଂଶର ନିଧନରେ। ସତୀ ବା ଅସତୀ କେଉଁ ପର୍ଯ୍ୟାୟରେ ତାଙ୍କ ନାମ ଲେଖା ହେବ, ସେଥିପାଇଁ ଭ୍ରୂକ୍ଷେପ କରି ନ ଥିଲେ ମହାରାଣୀ କୁନ୍ତୀ। କାରଣ ଏଥିରେ ନ ଥିଲା ସ୍ବାର୍ଥାନ୍ଧଭାବ ବରଂ ନିହିତ ଥିଲା ପରାର୍ଥଭାବ। ତାଙ୍କ ପାଇଁ ପ୍ରଜାମଙ୍ଗଳ ଏବଂ ଧର୍ମ ପ୍ରତିଷ୍ଠା ଥିଲା ମହତ୍ତର କାର୍ଯ୍ୟ। ଅତଃ ପାଣ୍ଡବମାନଙ୍କୁ ସାଧାରଣ ମଣିଷ ଭାବେ ଗଣନା କରିବା ଏକ ଭ୍ରମାତ୍ମକ ପ୍ରକ୍ରିୟା ବରଂ ସେମାନେ ଥିଲେ ଦେବଅଂଶୀ ଏବଂ ମହତ୍ତର ଉଦ୍ଦେଶ୍ୟ ନେଇ ଜନ୍ମ ହୋଇଥିଲେ। ସେମାନଙ୍କ ଭିତରେ ଗୁଣଗତ ପାର୍ଥକ୍ୟ ଥିଲେ ମଧ୍ୟ ସେମାନେ ଥିଲେ ପରସ୍ପରର ପରିପୂରକ। ତେବେ ସମଗ୍ର ପ୍ରଜାକୁଳ ସହିତ ପାଣ୍ଡବମାନଙ୍କୁ ଯେଉଁ ଖଳଶକ୍ତିର ସମ୍ମୁଖୀନ ହେବାକୁ ପଡ଼ିଥିଲା ତାହାଠାରୁ ଏକ ବୃହତ୍ତର ଶକ୍ତିର ଆବଶ୍ୟକତା ଥିଲା ସେମାନଙ୍କୁ ଧ୍ୱଂସ କରିବାରେ। ତେଣୁ ପାଣ୍ଡବମାନଙ୍କୁ ଏକାଠି ରଖି ବାରମ୍ବାର ସେମାନଙ୍କର ଲକ୍ଷ୍ୟ ସମ୍ପର୍କରେ ମନେ ପକାଇଦେବାର ଗୁରୁଦାୟିତ୍ୱ ମୁଁ ହିଁ ବହନ କରିଥିଲି। ସେପାଇଁ ତ ମୁଁ ମୋ ଜୀବନରେ ବିନା ଦ୍ୱିଧାରେ ପାଞ୍ଚପତିଙ୍କୁ ବରଣ କରିଥିଲି। ପାଣ୍ଡବମାନେ ମଧ୍ୟ ମୋର ଅସାଧାରଣ ପ୍ରକୃତି ସମ୍ପର୍କରେ ଜ୍ଞାତ ଥିଲେ। ତେଣୁ ସେମାନେ ଅଖଣ୍ଡ ଭାବରେ ମୋ ପ୍ରତି ଶ୍ରଦ୍ଧାଶୀଳ ଓ ଅନୁଗତ ଥିଲେ।
କୁରୁ ରାଜସଭାରେ ପିତାମହ ଭୀଷ୍ମ, ଆଚାର୍ଯ୍ୟ ଦ୍ରୋଣ, କୁଳଗୁରୁ ବଶିଷ୍ଠ ପ୍ରମୁଖ ଗୁରୁଜନଙ୍କ ସମ୍ମୁଖରେ ଏବଂ ମୋର ପଞ୍ଚପତିଙ୍କ ଉପସ୍ଥିତିରେ, ବଡଭାଇ ଦୁର୍ଯ୍ୟୋଧନର ନିର୍ଦ୍ଦେଶରେ ଅନୁଜ ଦୁଃଶାସନ ମତେ ବିବସ୍ତ୍ର କରିବାର ଅପଚେଷ୍ଟା ମୋତେ ଲଜ୍ଜିତ ଏବଂ ଅପମାନିତ କରିବା ପାଇଁ ହିଁ ଉଦ୍ଦିଷ୍ଟ ଥିଲା। ଜଣେ ସ୍ବୟଂସମ୍ଭବା ଏବଂ ମାର୍ଜ୍ଜିତ ସ୍ବଭାବର ନାରୀ ହିସାବରେ ମୋ ପ୍ରତି କରାଯାଇଥିବା ଅନ୍ୟାୟ ଏବଂ ଅତ୍ୟାଚାରର ପ୍ରତିଶୋଧ ମୁଁ ବା ନ ନେଇଥାନ୍ତି କିପରି? ମୁଁ ଯେଉଁମାନଙ୍କ ବିରୋଧରେ ପ୍ରତିଶୋଧ ନେଲି ସେମାନେ ସମସ୍ତେ ଥିଲେ କ୍ଷମତାଶାଳୀ ରାଜା ଅଥବା ସେମାନଙ୍କର ଅତି ନିକଟତମ ସମ୍ପର୍କୀୟ। ସେହି ପ୍ରତିଶୋଧର ବହ୍ନି ଗୋଟିଏ ରାଜପରିବାରକୁ ଜାଳିପୋଡି ପାଉଁଶ କରିଦେଲା। ପୃଥିବୀ ଦେଖିଲା ଜଣେ ନିର୍ଭୟା ଏବଂ ଦୁଃସାହସିନୀ ନାରୀ ଚରିତ୍ରକୁ।
ଏବେ ମୋ ଜୀବନର ଶେଷ ପର୍ଯ୍ୟାୟକୁ ଆସୁଛି। ମୁଁ ଏବଂ ମୋର ପଞ୍ଚପତି ସ୍ବର୍ଗାରୋହଣ ଅଭିଯାନରେ ବାହାରିଲୁ। ମୁଁ ମୋର ପତିମାନଙ୍କୁ ଅନୁସରଣ କରୁଥାଏ। ହଠାତ୍ ରୁଦ୍ର ହିମାଳୟ (କେଦାରନାଥ ଓ ବଦ୍ରିନାଥର ମଧ୍ୟବର୍ତ୍ତୀ, ହିମାଳୟର ପଞ୍ଚବରଫାବୃତ୍ତ ପର୍ବତମାଳା) ଆରୋହଣ ସମୟରେ ପଦସ୍ଖଳନ ଯୋଗୁ ମୋର ମୃତ୍ୟୁ ଘଟିଲା। ମୋର ପ୍ରେତ ଶୁଦ୍ଧିକର୍ମ କରିବାକୁ ମୋ ପାଖରେ ଆଉ କେହି ନ ଥିଲେ। ସେହି ଦିନଠାରୁ ମୋର ଅଶୁଦ୍ଧ, ଅତୃପ୍ତଆତ୍ମା ଅଶରୀରୀ ଭାବରେ ମୋ ପ୍ରିୟ ଦେଶ ଭାରତବର୍ଷର କୋଣ, ଅନୁକୋଣରେ ଘୂରିବୁଲୁଛି। ମୋର ଅଶରୀରୀ ଆତ୍ମା ଏବେ ବି ଭାରତୀୟ ନାରୀ ସମାଜକୁ ଆହ୍ବାନ ଦେଉଛି ଯେତେ କଷ୍ଟ ସହିବାକୁ ପଡୁ ପଛକେ ନାରୀ ନିର୍ଯାତନାର କଳେ-ବଳେ-କୌଶଳେ ପ୍ରତିଶୋଧ ନେବାକୁ। ସେଇଥିରେ ମୋର ଆତ୍ମା ଅଧିକ ତୃପ୍ତି ଲାଭ କରିବ ଏବଂ ମୋର ଜୀବନବ୍ୟାପୀ ସାଧନାର ମାର୍ଗକୁ ଯେ ଭାରତୀୟ ନାରୀସମାଜ ଆପଣେଇ ନେଇଛି, ଏ କଥା ଜାଣିଲେ ମୋ ଠାରୁ ଅଧିକ ଖୁସି ଆଉ କିଏ ଅବା ହେବ? ଲିଙ୍ଗଗତ ଭେଦଭାବକୁ ନେଇ ଯେ ପର୍ଯ୍ୟନ୍ତ ଆମ ଦେଶରେ ନାରୀମାନଙ୍କୁ ଅନ୍ୟାୟ, ଅତ୍ୟାଚାର, ଅସମାନତା, ନିର୍ଯାତନା ତଥା ବଳାତ୍କାରର ଶିକାର ହେବାକୁ ପଡୁଥିବ ସେ ପର୍ଯ୍ୟନ୍ତ ମୋ ଅତୃପ୍ତ ଆତ୍ମା ସାରା ଭାରତରେ ଘୂରି ବୁଲୁଥିବ।
ମହାନଦୀ ବିହାର, କଟକ
ମୋ-୯୮୬୧୧୪୦୧୬୯