ମୁଁ ବିଷ୍ଣୁଙ୍କ କଳ୍‌କୀ ଅବତାର, ଶୀଘ୍ର ଦିଅ ଗ୍ରାଚ୍ୟୁଟି…

ଅହମଦାବାଦ,୫।୭: ଏବେ ସୋସିଆଲ୍‌ ମିଡ଼ିଆରେ ଜଣେ ସରକାରୀ ବାବୁଙ୍କ ଧମକ ଭରା ଚିଠି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସରକାରୀ ବାବୁ ଜଣକ ଗୁଜରାଟ ଜଳସମ୍ପଦ ବିଭାଗର ବଡୋଦରା କାର୍ଯ୍ୟାଳୟରେ ସର୍ଦ୍ଦାର ସରୋବର ପୁନର୍ବାସ ଏଜେନ୍ସିରେ ଅଧୀକ୍ଷଣ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାମ ହେଉଛି ରମେଶଚନ୍ଦ୍ର ଫେଫାର। ନର୍ମଦା ଡ୍ୟାମ୍‌ ପ୍ରକଳ୍ପ ଯୋଗୁ ବାସଗୃହ ହରାଇଥିବା ଲୋକଙ୍କ ଥଇଥାନ କାର୍ଯ୍ୟ ତାଙ୍କ ଉପରେ ନ୍ୟସ୍ତ ଥିଲା। ୨୦୧୮ରେ ୮ମାସ ମଧ୍ୟରେ ମାତ୍ର ୧୬ ଦିନ ସେ ଅଫିସ୍‌ ଆସିଥିଲେ। ଏନେଇ ତାଙ୍କୁ ଜଳ ସମ୍ପଦ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। ରମେଶଙ୍କ ମାନସିକ ସ୍ଥିତି ଠିକ ନ ଥିବାରୁ ତାଙ୍କର ସେଚ୍ଛାକୃତ ଅବସର ଆବେଦନକୁ ଗ୍ରହଣ କରାଯାଇଥିଲା।

ତେବେ ତାଙ୍କର ୧୬ ଲକ୍ଷ ଟଙ୍କାର ଗ୍ରାଚ୍ୟୁଟି ଏପର୍ଯ୍ୟନ୍ତ ମିଳିନି। ଏନେଇ ସେ ଜୁଲାଇ ୧ରେ ଜଳ ସମ୍ପଦ ବିଭାଗ ସଚିବଙ୍କ ପାଖକୁ ଚିଠି ଲେଖିଛନ୍ତି। ସରକାରୀ ପଦବୀରେ ରାକ୍ଷସମାନେ ବସିଛନ୍ତି। ମାତ୍ର ମୁଁ ବିଷ୍ଣୁଙ୍କ କଳ୍‌କୀ ଅବତାର। ମୋ ପାଖରେ ଦିବ୍ୟଶକ୍ତି ରହିଛି। ମତେ ଆଉ ହଇରାଣ ନ କରି ମୋ ପ୍ରାପ୍ୟ ଶୀଘ୍ର ଦେଇଦି ବୋଲି ସେ ଚିଠିରେ ଧମକ ଦେଇଛନ୍ତି। ରମେଶ ଏକ ବର୍ଷର ଦରମା ବାବଦରେ ୧୬ ଲକ୍ଷ ଟଙ୍କା ବି ପାଇ ନାହାନ୍ତି। ତେଣୁ ସେ ବିଷ୍ଣୁଙ୍କ ଦଶମ ଅବତାର ବୋଲି କହି ଧମକ ଭରା ଚିଠି ଲେଖିଛନ୍ତି।

ସେ କଳ୍‌କୀ ଅବତାର ଭାବେ ରହିଥିବାରୁ ଦେଶରେ ଗତ ୨୦ ବର୍ଷ ଧରି ଭଲ ବର୍ଷା ହୋଇଥିବା ସେ ଦାବି କରିଛନ୍ତି। ଭଲ ବର୍ଷା ହେବାରୁ କୃଷି ଉତ୍ପାଦନରୁ ଦେଶ ୨୦ ଲକ୍ଷ କୋଟି ଟଙ୍କାର ଲାଭ ପାଇଥିବା ସେ କହିଛନ୍ତି। ଚଳିତ ବର୍ଷ ପୃଥିବୀରେ ମୋ ପ୍ରକୋପରୁ ଭୟଙ୍କର ମରୁଡ଼ି ସୃଷ୍ଟି ହେବାକୁ ଯାଉଛି ବୋଲି ସେ ଧମକ ଦେଇଛନ୍ତି। ସେ ସତ୍ୟଯୁଗରେ ପୃଥିବୀରେ ଶାସନ କରିବେ ବୋଲି ମଧ୍ୟ କହିଛନ୍ତି। ରମେଶଙ୍କୁ ଗ୍ରାଚ୍ୟୁଟି ପ୍ରଦାନ ନେଇ କାର୍ଯ୍ୟ ଜାରି ରହିଥିବା ଜଳ ସମ୍ପଦ ବିଭାଗ ସଚିବ ଏମ୍‌.କେ.ଯାଦବ ସୂଚନା ଦେଇଛନ୍ତି।

Share