Categories: ଜାତୀୟ

ଭାରତ ସହ ଅଛୁ: ବ୍ରିଟେନ୍‌

ନୂଆଦିଲ୍ଲୀ, ୨୫।୪: ଭାରତରେ କରୋନାର ଭୟଙ୍କର ସ୍ଥିତି ବେଳେ ସହାୟତା ଯୋଗାଇଦେବାକୁ ଆମେରିକା, ୟୁରୋପୀୟ ୟୁନିୟନ, ଇସ୍ରାଏଲ୍‌, ଜର୍ମାନୀ, କାନାଡା ପ୍ରଭୃତି ଦେଶ ଆଗେଇ ଆସିଛନ୍ତି। ମାର୍ଚ୍ଚ ଆରମ୍ଭରୁ ଭାରତରେ ସଂକ୍ରମଣ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଚାଲିଥିବା ବେଳେ ଏବେ ଦୈନିକ ସଂକ୍ରମଣ ୩.୫ ଲକ୍ଷରେ ପହଞ୍ଚିଛି। ଏଭଳି ସ୍ଥିତିରେ ମହାମାରୀ ବିରୋଧୀ ଲଢ଼େଇରେ ସହାୟତା ପାଇଁ ୟୁରୋପ ସଂଘ, ଇସ୍ରାଏଲ୍‌ ଏବଂ ଜର୍ମାନୀ ରବିବାର ପ୍ରତିଶ୍ରୁତି ଦେଇଛନ୍ତି। ବ୍ରିଟେନ ଭାରତକୁ ୪୯୫ ଅକ୍ସିଜେନ ସେଣ୍ଟ୍ରେଟର, ୧୨୦ ନନ୍‌-ଇନ୍‌ଭାସିଭ୍‌ ଭେଣ୍ଟିଲେଟର ଏବଂ ୨୦ ମାନୁଆଲ ଭେଣ୍ଟିଲେଟର ଯୋଗାଇ ଦେଇଛି। ସେଗୁଡ଼ିକ ୯ଟି ଜାହାଜରେ ଆସୁଥିବା ବ୍ରିଟେନ ସରକାର ରବିବାର ସୂଚନା ଦେଇଛନ୍ତି। କରୋନା ବିପତ୍ତି ବେଳେ ଆମେ ବନ୍ଧୁ ଓ ସହଯୋଗୀ ଭାବେ ଭାରତ ସହ ଛିଡ଼ାହୋଇଛୁ ବୋଲି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ କହିଛନ୍ତି। ସେହିପରି କାନାଡା ମଧ୍ୟ ଯଥାସମ୍ଭବ ସହାୟତା ଯୋଗାଇଦେବା ଲାଗି ଆଗ୍ରହ ପ୍ରକାଶ କରିଛି। ଭାରତକୁ ପିପିଇ କିଟ୍‌, ଭେଣ୍ଟିଲେଟର ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ପ୍ରସ୍ତୁତ ବୋଲି କାନାଡା ଜନସେବା ମନ୍ତ୍ରୀ ଅନିତା ଆନନ୍ଦ କହିଛନ୍ତି।
‘ପ୍ରଥମେ ଆମେରିକୀୟ’ ବୋଲି କହି ବାଇଡେନ୍‌ ପ୍ରଶାସନ ଭାରତକୁ ଟିକା ପ୍ରସ୍ତୁତିରେ ସହାୟତା କରିବାକୁ ମନା କରିଦେଇଥିଲା। ତେବେ ବିଭିନ୍ନ ମହଲରୁ ସମାଲୋଚିତ ହେବା ପରେ ଆମେରିକା ସରକାର ଭାରତକୁ ସହାୟତା ଯୋଗାଇଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି।

Share