ସରୁନି ବିଜୁ ସେତୁ ନିର୍ମାଣ କାର୍ଯ୍ୟ

ବ୍ରହ୍ମବରଦା,୧୮ା୭: (ଯଯାତି କେଶରୀ ବେହେରା): ଯାଜପୁର ବ୍ଲକ୍‌ ଅନ୍ତର୍ଗତ ଝାଲପଡ଼ା ଓ ରୁଦ୍ରପୁର ପଞ୍ଚାୟତବାସୀଙ୍କ ଗମନାଗମନର ସମସ୍ୟା ଦୀର୍ଘ ଦିନ ହେବ ଲାଗି ରହିଛି। ଝାଲପଡ଼ାରୁ ବ୍ରହ୍ମବରଦାକୁ ସଂଯୋଗ ପାଇଁ ୨୪ା୧୨ା୨୦୧୬ରୁ ବ୍ରହ୍ମବରଦାଠାରେ ବ୍ରାହ୍ମଣୀ ନଦୀରେ ୧୦ କୋଟି ୪୨ ଲକ୍ଷ ୩୯ ହଜାର ୨୭୦ ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ବିଜୁ ସେତୁର ନିର୍ମାଣ କାର୍ଯ୍ୟ ଏ ପର୍ଯ୍ୟନ୍ତ ସରିପାରୁନାହିଁ। କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ଏହି ସେତୁ ନିର୍ମାଣ ହେଲେ କାକୁଡ଼ିକୁଦ, ଝାଲପଡ଼ା, ବାଗସାହି, ସିଠାଲୋଇ ଓ ରୁଦ୍ରପୁର ଅଞ୍ଚଳର ଲୋକଙ୍କ ଯାତାୟାତ ସୁଗମ ହେବ। ସେମାନେ ବ୍ରହ୍ମବରଦାସ୍ଥିତ ହାଟ, ବଜାର, ବ୍ୟାଙ୍କ ଏବଂ ଛାତ୍ରୀଛାତ୍ର କଲେଜକୁ ପ୍ରତିଦିନ ଯିବା ଆସିବା କରିଥାନ୍ତି। ତେଣୁ ଯାତାୟାତ ପାଇଁ ନଦୀରେ ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ ହୋଇଥିବା ଅସ୍ଥାୟୀ ବାଉଁଶ ପୋଲ ଉପରେ ନିର୍ଭର କରୁଛନ୍ତି। ହେଲେ ବର୍ଷା ଦିନରେ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ବାଉଁଶ ପୋଲ ଦେଇ ଯାତାୟାତ କରିବା ସମ୍ଭବ ହେଉନାହିଁ। ଫଳରେ ଲୋକେ ୫ କି.ମି. ରାସ୍ତା ବୁଲି ବ୍ରହ୍ମବରଦାକୁ ଆସୁଛନ୍ତି। ଆଉ କେତେଜଣ ଲୋକ ଯିବା ଆସିବା ପାଇଁ ହୁଲି ଡ଼ଙ୍ଗା ଉପରେ ନର୍ଭର କରୁଛନ୍ତି। ବିଜୁ ସେତୁଟି କାକୁଡ଼ିକୁଦ ପଟୁ ୭ ପିଲାର(ଖୁଣ୍ଟ)କାର୍ଯ୍ୟ ସମାପ୍ତ ହୋଇଥିବାବେଳେ ବ୍ରହ୍ମବରଦା ପଟୁ ଶେଷ ଖୁଣ୍ଟ ପଡ଼ି ପାରୁ ନ ଥିବାରୁ ନିର୍ମାଣ କାର୍ଯ୍ୟ ଧିମେଇ ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ କେଉଁଦିନ ନିର୍ମାଣ କାର୍ଯ୍ୟ ସମାପ୍ତ ହେବ ଓ ସୁରୁଖୁରୁରେ ଲୋକେ ଯାତାୟାତ କରିବେ ତାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ସେତୁ କାର୍ଯ୍ୟ ଶେଷ କରିବାକୁ ଦାବି ହୋଇଛି।