ପ୍ରଥମ ରୋଜଗାର କଥା ଭାବି ଦେବାବେଳେ ଗୋଟେ ଜହ୍ନ ଜହ୍ନ ରାତି ଯେମିତି ମୋ ଚାରିପଟେ ଫିଟି ପଡୁଛି। ହଁ, ମୁଁ ‘ଜହ୍ନମାମୁଁ’ ପତ୍ରିକା କଥା କହୁଛି। ପିଲା ଆଖିରେ, ପ୍ରଥମ ଦେଖାରେ କେତେ ନିଜର ଲାଗୁଥିଲା ସେ! ତା’ର ପ୍ରଚ୍ଛଦ, ପୃଷ୍ଠା ସବୁକୁ ଦେଖିଲେ ଖୁସି ଲାଗୁଥିଲା। ପଢିଲେ ମନ ପୁରି ଯାଉଥିଲା। ରାଜା, ରାଣୀ, ବେତାଳ, ଅସୁର, ଜନ, ମହାଜନ ସମସ୍ତଙ୍କର କଥା ଥିଲା ସେଥିରେ। ତେବେ ‘ଜହ୍ନମାମୁଁ’ ପତ୍ରିକାର ଯେଉଁ ପୃଷ୍ଠାଟି ମୋତେ ବେଶି ଆକୃଷ୍ଟ କରୁଥିଲା ତାହା ଥିଲା ପତ୍ରିକା ଶେଷ ଆଡ଼କୁ ଥିବା ଚିତ୍ର ପ୍ରତିଯୋଗିତା। ଏହି ପୃଷ୍ଠାରେ ଥାଏ ଦୁଇଟି ଅଲଗା ଅଲଗା ଚିତ୍ର। ସେ ଚିତ୍ରକୁ ମେଳ କରି ଦୁଇ ଧାଡିରେ ଗୀତ ଲେଖି ପଠାଇବାକୁ ହୁଏ। ମନୋନୀତ ଲେଖା ପରବର୍ତ୍ତୀ ସଂଖ୍ୟାରେ ବିଜେତାଙ୍କ ନାଁ ସହିତ ପ୍ରକାଶିତ ହୁଏ। ପୁରସ୍କାର ବି ଦିଆଯାଏ। ଥରେ ଗୋଟେ ସଂଖ୍ୟା ଜହ୍ନମାମଁୁରେ ପ୍ରକାଶ ପାଇଥିବା ଦୁଇଟି ଚିତ୍ର ମୋ ମନକୁ ବେଶ୍ ଛୁଇଁଗଲା। ପ୍ରଥମ ଚିତ୍ରରେ; ଜଣେ ଲୋକ ଝାଳ ସରସର ହୋଇ କୋଦାଳରେ ମାଟି ହାଣୁଥିଲା ଏବଂ ଅନ୍ୟ ଚିତ୍ରରେ; ଜଣେ କୁମ୍ଭାର ଚକି ଧରି ବସି କିଛି ଗଢୁଥିଲା। ଲେଖି ଦେଲି ଗୀତ ପଦେ। ଏହା ଥିଲା ୧୯୮୨/୮୩ ମସିହାର କଥା; ସେତେବେଳେ ଅଷ୍ଟମ କି ନବମରେ ମୁଁ ପଢୁଥାଏ। ସେ ସମୟରେ ଜହ୍ନମାମୁଁ ପତ୍ରିକାର ମୂଲ୍ୟ ଏକ ଟଙ୍କା ପଞ୍ଚସ୍ତରୀ କିମ୍ବା ୨ ଟଙ୍କା ଥାଏ, ହେଲେ ଚିତ୍ର ପ୍ରତିଯୋଗିତା ବିଜୟୀଙ୍କୁ ପୁରସ୍କାର ମିଳୁଥାଏ ୨୫ କି ୫୦ ଟଙ୍କା। ସେତିକି ଟଙ୍କା ବି ସେତେବେଳେ ଖୁବ୍ ବହୁତ ଲାଗିଥିଲା। ଖର୍ଚ୍ଚ କ’ଣ କରିବି, ବରଂ ତାକୁ ବହୁ ଦିନ ଯାଏଁ ପାଖରେ ରଖିଲି। ପରେ ସେ ଟଙ୍କାରେ କେତୋଟି ବହି ଓ ପତ୍ରିକା କିଣିଥିଲି। ତେବେ ଲେଖିଥିବା ସେ ପଦେ ଗୀତକୁ ମୁଁ ଆଜିଯାଏଁ ବି ମନେ ରଖିଛି। ଚିତ୍ର ଦୁଇଟିକୁ ଦେଖୁ ଦେଖୁ କେମିତି କେଜାଣି ମୁଁ ହଠାତ୍ ଲେଖି ଦେଇଥିଲି, ‘ସହିବି ତୁମର ଆଘାତ ଯେତେ, ସତେ କି ସୁନ୍ଦର କରୁଛ ମୋତେ’। ସତରେ; ସୃଜନ ଯାତ୍ରାର ଏ ଦୀର୍ଘ ପଥରେ; ଗପଟିଏ ଲାଗି ଗୋଟିଏ ଲେଖାକୁ ବାରମ୍ବାର କାଟିଲାବେଳେ ସେ ଚିତ୍ର ଦୁଇଟିର କଥା ମନକୁ ଆସି ଯାଇଛି। ମୁଁ କେବଳ ମାଟି ହାଣି ଗଦା କରିଛି ଅବା ଦ୍ୱିତୀୟ ଚିତ୍ର ପରି କିଛି ଗଢିବାକୁ ବସିଛି। କୋଉ ଗଢି ପାରିଲି କିଛି!!! ଯଦିବା ୟା’ ଭିତରେ ମୋର ‘ଛବି ମଣିଷ’, ‘କାଉଁରି ପାନିଆ’, ‘ବିସ୍ମୟ ଏକ ବିନ୍ଦୁ’, ‘ଏଠି ପ୍ରଜାପତି ନାହିଁ’, ‘ଝିଅଠାରୁ ଉଧାର ଆଣି’, ‘ଯେତେ ଯାଏଁ ଆଖି ସେତେ ଯାଏଁ ଆକାଶ’, ‘ଫୁଲ ଦିଆନିଆ’ ଗଳ୍ପ ପୁସ୍ତକ; ‘ମୋ ଗପରେ ଗୀତର ଗାୟକ’, ‘ଅଧାରୁ ଆରମ୍ଭ ଅଧାରେ ଶେଷ’ ଜୀବନୀ ପୁସ୍ତକ ପ୍ରକାଶିତ ହୋଇଛି। କେତେକ ପୁସ୍ତକ ସମ୍ଭାବନା ବି କରିଛି। ଖୋର୍ଦ୍ଧା ଜିଲା କଲ୍ୟାଣପୁରରେ ଜନ୍ମ ହୋଇ ପତିତପାବନ ହାଇସ୍କୁଲ୍, ଗୁଡୁମ୍ରୁ ମାଟ୍ରିକ୍ ଏବଂ ପି.ଏନ୍. କଲେଜରୁ ଯୁକ୍ତ ତିନି ପଢାସାରି ଜୁନିୟର୍ କ୍ଲର୍କ ଭାବେ ଚାକିରି ଜୀବନ ଆରମ୍ଭ କରି ଏବେ ଉପ ବିଭାଗ ଅଧିକାରୀ ରୂପେ ଦାୟିତ୍ୱ ନିର୍ବାହ କରୁଛି। ତେବେ ଚାକିରି ଜୀବନର ରୋଜଗାର ଅପେକ୍ଷା ସୃଜନ ଯାତ୍ରାର ଏହି ପ୍ରଥମ ରୋଜଗାର ଯେଉଁ ପ୍ରଥମ ଆତ୍ମସନ୍ତୋଷ ଦେଇଥିଲା ତାହା ଭୁଲି ହେଉନାହିଁ।
-ଅମ୍ବ୍ରିତା