ମଣିଷର ସ୍ବପ୍ନ ଅସୁମାରୀ ଓ ଆଶା ଅସୁମାରୀ। ହେଲେ ଜୀବନ ଚାଲୁଥାଏ ତା’ ବାଟରେ। ସ୍ବପ୍ନ କେବେ ସାକାର ହୁଏ ତ କେବେ ନାହିଁ। ବାପା, ମା’, ଭାଇ ତା’ ସହିତ ପାଞ୍ଚ କକେଇ, ଜେଜେମା’, ଜେଜେବାପା, ପିଉସୀ ଏମାନଙ୍କୁ ନେଇ ଏକ ବିରାଟ ଯୌଥ ପରିବାରରେ ମୋର ଜନ୍ମ। ସରକାରୀ ବିଦ୍ୟାଳୟରେ ପାଠପଢ଼ା ଯେନତେନ ପ୍ରକାର ଚାଲେ। ସ୍କୁଲ ଛୁଟି ପରେ ସନ୍ଧ୍ୟାରେ ଜେଜେବାପାଙ୍କ ପାଖେ ଗଣିତ ଓ ବିଜ୍ଞାନ, ବୋଉ ପାଖେ ସାହିତ୍ୟ, ଜେଜେମା’ଙ୍କ ପାଖେ ଇତିହାସ, କକେଇଙ୍କ ପାଖେ ଭୂଗୋଳ ପଢ଼ା। ଟିଉସନ ତ ଭାବିବା ସ୍ବପ୍ନ ଥିଲା। କେବେ କେମିତି ସାଙ୍ଗଙ୍କ ପ୍ରରୋଚନାରେ ଟିଉସନ ଗଲେ ପଇସା ଅଭାବରୁ ଦୁଇମାସ ପରେ ଛାଡ଼ି ଦେବାକୁ ପଡୁଥିଲା। ଜେଜେବାପାଙ୍କ ପେନ୍ସନ୍ ଓ ନନାଙ୍କର ରାଜ୍ୟ ସରକାରଙ୍କ ଅଧିନସ୍ତ ସଚ୍ଚୋଟ ସିଭିଲ୍ ଜୁନିୟର ଇଞ୍ଜିନିୟର୍ର ସ୍ବଳ୍ପ ବେତନ, ତା’ସହିତ ଏତେ ବଡ଼ ପରିବାରର ଦାୟିତ୍ୱ। ସମସ୍ତେ ପଢୁଥାନ୍ତି। ରୋଜଗାରିଆ ଦୁଇଜଣ। ଦରମା ଆସୁ ଆସୁ କୁଆଡ଼େ ଯେ ଖେପିଯାଏ ତାହା ଜଣାପଡ଼େନି। କିଛି ମାଗି ବସିଲେ ନନା କହନ୍ତି ପହିଲା ପରେ। ହେଲେ ସେ ପହିଲା ପରେ କେବେ ବି ଆସେନି। ଯାହିତାହି କରି ଦଶମ ଓ ଯୁକ୍ତ ଦୁଇ ବିଜ୍ଞାନ, ଭାଇର ଓ ସାନ କାକାଙ୍କର ପୁରୁଣା ବହି, ନୋଟ୍ସ ଇତ୍ୟାଦିକୁ ପଢ଼ି କାମ ଚଳିଗଲା। ହେଲେ କଲେଜରେ ଯୁକ୍ତ ତିନି ଉଦ୍ଭିଦ ବିଜ୍ଞାନ (ସମ୍ମାନ)ନେବାରୁ ନୂଆ ବହି ଦରକାର ହେଲା। କଲେଜ ଲାଇବ୍ରେରୀର ବହି ପୁରୁଣା ଏଡ଼ିସନ୍ କହି ସାର୍ ମନା କଲେ ତାକୁ ପଢିବାକୁ। ନୂଆ ଉଦ୍ଭିଦ ବିଜ୍ଞାନ ବହି ଯେଉଁଥିରେ ସବୁ ନୂତନ ପ୍ରଣାଳୀ, ଜେନେଟିକ୍ସ୍, ମ୍ୟୁଟେସନ୍ ଇତ୍ୟାଦି ଥିଲା, ତାହା ସେତେବେଳେ କଲେଜ ଛକ ବହି ଦୋକାନରେ ମିଳୁଥିଲା। ତା’ ପରଦିନ ଡିପାର୍ଟମେଣ୍ଟରେ ପହଞ୍ଚତ୍ ଦେଖେତ ପ୍ରାୟ ସମସ୍ତଙ୍କ ହାତରେ ସେହି ବହିରୁ ଗୋଟିଏ ଗୋଟିଏ ଥିଲା। ଦିନେ ଦୁଇଦିନ ପିଲାଙ୍କୁ ଧାର ମାଗିଲି ହେଲେ ସମସ୍ତଙ୍କର ନିଜର ନୂଆ ବହି ପାଇଁ ଲୋଭ ଥିଲା; ସେଥିପାଇଁ କେହି ଦେଲେନି। ବିଦ୍ୟାଳୟରେ ପଢିଲାବେଳୁ ମୁଁ ବିଭିନ୍ନ ବକ୍ତୃତା, ରଚନା ଲିଖନ, ଗଳ୍ପ ଲିଖନ ଇତ୍ୟାଦି ପ୍ରତିଯୋଗିତାରେ ଭାଗନେଇ ଢେରସାରା କପ୍, ସାର୍ଟିଫିକେଟ୍ ପାଉଥିଲି ଆଉ ସେସବୁକୁ ସାଇତିକି ରଖୁଥିଲି। ଦିନକର କଥା। କଲେଜରୁ ଫେରି ବହିଟି ପାଇଁ ମୋର ଆକୁଳ ଆବେଦନରେ ନନାଙ୍କ ଆଖି ଛଳଛଳେଇ ଗଲା। କିଛି କହି ନପାରି ବୋଉ ଆଡ଼େ ସେ ଅନେଇଲେ। ବୋଉ ତକିଆ ତଳୁ କିଛି ଖୁଚୁରା ବାହାର କଲା, ସମୁଦାୟ ଦୁଇଶହ ଟଙ୍କା। ହେଲେ ବହିଟିର ଦାମ ଥିଲା ତିନିଶହ ଦଶ ଟଙ୍କା। ବୋଉ କହିଲା- ଟିକେ ରହିଯା, ପହିଲା ଆସୁ। ଭାଇ ମଜା କରି କହିଲା- ହେ! ଏତେ କପ୍ ପ୍ରାଇଜ ପାଇଛୁ ପରା, ଯା ସେସୁବୁକୁ ବିକି ବହି କିଣିଦେବୁ। ତା’ କଥା ଶୁଣି ମୋତେ ଭାରି ରାଗ ଲାଗିଲା। ମୁଁ ସେଠାରୁ ଚୁପ୍ଚାପ୍ ପଳାଇ ଆସି ଜେଜେମା’ ସା ଦେଉଥିଲେ ସେଇଠି ବସି ପ୍ରାର୍ଥନା ଗାଉ ଗାଉ ଭାବିଲି, ହେ ଭଗବାନ ମୋତେ ପ୍ରତିଯୋଗିତାରେ ଟଙ୍କା ପ୍ରାଇଜ ଦିଅନ୍ତ କି!
ଏଇ କଥାକୁ ମାସେ ବିତି ଯାଇଥାଏ। ତା’ରି ଭିତରେ ସାଙ୍ଗଙ୍କଠାରୁ କୌଣସି ମତେ ବହି ନେଇ ନୋଟ୍ କରି ମୁଁ ପଢୁଥାଏ। ହଠାତ୍ ଦିନେ କଲେଜର ଲିଟେରାରୀ ସେକ୍ରେଟାରୀ ଏକ ବକ୍ତୃତା ପ୍ରତିଯୋଗିତାର ନୋଟିସ୍ ଆଣିଲା। ଈଶ୍ୱରଙ୍କ କୃପାରୁ ସେଥିରେ ପ୍ରଥମ ପୁରସ୍କାର ଭାବେ ତିନିଶହ ପଚାଶ ଟଙ୍କା ଜିତିବାର ସୌଭାଗ୍ୟ ମୋତେ ହିଁ ମିଳିଲା। ଘରକୁ ଫେରିବା ବାଟରେ ସେହି ଟଙ୍କାରେ ବହି ଦୋକାନରୁ ଆଗ ବହିଟି କିଣିନେଲି। ବଳିଥାଏ ଆହୁରି ଚାଳିଶ ଟଙ୍କା। ସେଠୁ ଆସୁଆସୁ ଘର ଆଉ ଅଳ୍ପ ଦୂର ଅଛି ଦେଖିଲି, ଚରିବାକୁ ଯାଇଥିବା ଆମ ଗାଈକୁ ଆଣୁଆଣୁ ଆମ ଗଉଡ଼ ଗୋବିନ୍ଦ ଝୁଣ୍ଟି ପଡି ତା’ ବୁଢା ଆଙ୍ଗୁଳିରୁ ରକ୍ତ ଝରଝର ବହି ଯାଉଛି। ସାଙ୍ଗେ ସାଙ୍ଗେ ପାଖ ଚା’ଦୋକାନରୁ ପାଣି ଆଣି ତା’ ଗୋଡ଼ ଧୋଇଦେଲି। ଟିକେ ଦୂରରେ ଥିବା ଏକ ଔଷଧ ଦୋକାନରୁ ବ୍ୟାଣ୍ଡେଜ, ତୁଳା ଓ ନିୟୋସ୍ପ୍ରିନ୍ କିଣି ତା’ ଗୋଡ଼ ବ୍ୟାଣ୍ଡେଜ୍ କରିଦେଲି। ଏତେ ସବୁ ପରେ ବି ଆହୁରି ପାଞ୍ଚ ଟଙ୍କା ଥିଲା ମୋ ହାତରେ।
ଘରେ ପହଞ୍ଚତ୍ଲା ପରେ ଗୋବିନ୍ଦ ମୁହଁର ହସ ଆଉ ମୋ ହାତରେ ଥିବା ବହି ସବୁ କିଛି ଘଟଣାକୁ ବଖାଣି ଦେଉଥିଲା। ନନା ବି ଅଫିସରୁ ଫେରି ଚୁପ୍ ଚୁପ୍ ହସୁଥିଲେ। ଉଦ୍ଭିଦ ବିଜ୍ଞାନ ବହିର କଭର ଫୁଲଟିର ହସ ସହିତ ମୋ ଘରର ପ୍ରିୟ ମଣିଷ ମାନଙ୍କର ହସ ସବୁ ମିଶି ଏକାକାର ହୋଇଯାଇଥିଲା ସେଦିନ। ମୋ ଆଖି ଆଗରେ ଝିଲ୍ମିଲ୍ କରୁଥିଲା ମୋ ସ୍ବପ୍ନର ସୁନେଲି ଭବିଷ୍ୟତ। ବଳକା ପାଞ୍ଚ ଟଙ୍କାକୁ ମୁଁ ମୋର ପଇସା ଠଣାରେ ଗଳାଇ ଦେଇଥିଲି ଠଣ୍ କରି। ମୋ କାନକୁ ସେଦିନ ସେହି ଠଣ୍ ଶବ୍ଦଟି ଭାରି ମଧୁର ଶୁଭିଥିଲା।