ପ୍ରଥମ ସ୍କୁଲ୍, ପ୍ରଥମ ଟିଉସନ୍ ସାର୍, ପ୍ରଥମ କରି ବୁଲିବାକୁ ଯିବା ଏମିତି ଅନେକ କିଛି ଘଟଣା ପିଲାଦିନୁ ଆଜିଯାଏ ମନରେ ଛବି ହୋଇରହିଛି। ସେମିତି ଏକ ଅଭୁଲା ସ୍ମୃତି ହେଉଛି ଜୀବନର ପ୍ରଥମ ରୋଜଗାର। କଲେଜରେ ପଢ଼ିବାବେଳେ ଅନେକ ଥର ପୁରସ୍କାର ସ୍ବରୂପ ଟଙ୍କା ପାଇଥିଲି, ଆଉ ସେ ସବୁ ଟଙ୍କା ମୋର ବହି କିଣାରେ ସରିଯାଉଥିଲା। କାରଣ ବହି ପଢ଼ିବା ପ୍ରତି ମୋର ଥିଲା ପ୍ରବଳ ଆଗ୍ରହ। ତେବେ ପ୍ରାଣନାଥ ମହାବିଦ୍ୟାଳୟ, ଖୋର୍ଦ୍ଧାରୁ ଉଦ୍ଭିଦ ବିଜ୍ଞାନ ସମ୍ମାନ ରଖି ଗ୍ରାଜୁଏଶନ୍ ପାସ୍ କରିବା ପରେ ଗୋଟେ ପିଲାକୁ ଟିଉସନ୍ କରିବା ଆରମ୍ଭ କରିଥିଲି। ସେଥିରୁ ଯେଉଁ ସ୍ବଳ୍ପ ରୋଜଗାର ହେଉଥିଲା ତାହା ମୋର ହାତ ଖର୍ଚ୍ଚରେ ସରି ଯାଉଥିଲା। ଏମିତି କିଛିଦିନ ଯିବା ପରେ ୨୦୧୩ରେ ପ୍ରାଣନାଥ ମହାବିଦ୍ୟାଳୟରେ ଲାବରେଟୋରି ଆସିଷ୍ଟାଣ୍ଟ ଭାବେ ମୋତେ ଚାକିରି ମିଳିଲା। ନିଜେ ପଢୁଥିବା କଲେଜରେ ଚାକିରି କରିବାର ସୁଯୋଗ ମିଳିଥିବାରୁ ବହୁତ ଖୁସି ଲାଗୁଥିଲା। ମାସେ କେମିତି ବିତିଗଲା ଜଣା ପଡିଲାନି। ମାସ ଶେଷରେ ୩,୫୦୦ ଟଙ୍କା ଦରମା ଯେବେ ହାତରେ ଧରିଲି; ସ୍ବର୍ଗସୁଖ ମିଳିଲା ପରି ଅନୁଭବ ହେଉଥିଲା। ଟଙ୍କାକୁ କେମିତି ଖର୍ଚ୍ଚ କରିବି ସେ ନେଇ ଅନେକ ଭାବନା ମନକୁ ଆସୁଥିଲା। ଶେଷରେ ନିଷ୍ପତ୍ତି ନେଲି କିଛି ଟଙ୍କାରେ ଜେଜେମା’, ଜେଜେବାପା, ବୋଉ ଓ ଭାଇଭଉଣୀଙ୍କ ପାଇଁ ଲୁଗାପଟା କିଣିବି ଆଉ ନିଜ ପାଇଁ କିଛି ବହି କିଣିବି ବୋଲି। ପ୍ରଥମ ଦରମାରେ ନୂଆଲୁଗା କିଣିଦେବାରୁ ଘରେ ସମସ୍ତେ ବହୁତ ଖୁସି ହେଲେ ଆଉ ମୋତେ ଆଶୀର୍ବାଦ ବି କଲେ। ତା’ପରେ ୬୦୦ ଟଙ୍କା ଦେଇ ଓଡ଼ିଶା ଇ ଷ୍ଟୋରରୁ ବିଭୂତି ପଟ୍ଟନାୟକ, ପ୍ରତିଭା ରାୟ, ରମାକାନ୍ତ ରଥ ଓ ଅବଦୁଲ କଲାମଙ୍କର ଗୋଟିଏ ଗୋଟିଏ ବହି ମୁଁ ଅର୍ଡର କରିଥିଲି। ସେ ବହିସବୁ ଯେଉଁଦିନ ଆସି ଘରେ ପହଞ୍ଚତ୍ଲା, ସେଦିନ ମୋ ଖୁସି କହିଲେ ନ ସରେ। ଏସବୁ କିଣାକିଣି ପରେ ବି ଆଉ କିଛି ଟଙ୍କା ମୋ ପାଖରେ ବଳି ପଡିଥିଲା; ଯାହାକୁ ସବୁଦିନିଆ ଖର୍ଚ୍ଚ ପାଇଁ ମୁଁ ମୋ ପାଖରେ ରଖିଥିଲି। ଏହିପରି ଭାବେ ପ୍ରଥମ ଦରମାକୁ ଖର୍ଚ୍ଚ କରିଥିଲି। ୨୦୧୯ ଯାଏ ଉକ୍ତ କଲେଜରେ କାମ କରିବା ପରେ ପୁରୀସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଡାଏଟିସିଆନ୍ ଭାବେ କିଛିଦିନ କାମ କଲି। କରୋନା ସମୟରେ କାମ କରିବାକୁ ଅସୁବିଧା ହେବାରୁ ସେହି ଚାକିରି ଛାଡ଼ି ନିଜର ଏକ ଡାଏଟିସିଆନ୍ ଓ୍ବେବସାଇଟ୍ ଖୋଲିଲି, ଆଉ ସେଥିରେ ବିଭିନ୍ନ ଉପଯୋଗୀ ଟିପ୍ସଗୁଡ଼ିକ ଅପ୍ଲୋଡ୍ କରିଚାଲିଲି। ଲେଖାଲେଖିରେ ରୁଚି ଥିବାରୁ ମଝିରେ ମଝିରେ କବିତା, ପ୍ରବନ୍ଧ ତଥା ସ୍ତମ୍ଭ ବି ଲେଖୁଥିଲି। ଏଥିସହିତ କେତେଜଣ ବିଶିଷ୍ଟ ଗାଳ୍ପିକା/ଗାଳ୍ପିକଙ୍କର ଓଡ଼ିଆ ଗପକୁ ଇଂଲିଶରେ ଟ୍ରାନ୍ସଲେଶନ କରିବାର କାମ ବି କଲି। ଏସବୁଥିରୁ ଭଲ ରୋଜଗାର ହେଉଥିଲେ ମଧ୍ୟ ପ୍ରଥମ ଦରମାର ସେହି ମିଠା ଅନୁଭୂତିକୁ ଆଜି ଯାଏ ବି ମନରୁ ଭୁଲି ପାରୁନି।